ଭୁବନେଶ୍ୱର, ୧୩।୭: ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣି ଥରେ ବୟାନବାଜି ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଥିବା ପ୍ରସଙ୍ଗରେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ ପରୋକ୍ଷରେ ନବୀନ ପଟ୍ଟନାୟକଙ୍କୁ ମହାଭାରତର ଧୃତରାଷ୍ଟ୍ର ସହ ତୁଳନା କରି ବିଜେଡିର ଭବିଷ୍ୟତକୁ ନେଇ ତୀବ୍ର ମନ୍ତବ୍ୟ ରଖିଛନ୍ତି।
ପ୍ରଭାତ ବିଶ୍ୱାଳ କହିଛନ୍ତି, ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ବାରମ୍ବାର ବୁଝାଇଥିଲେ ମଧ୍ୟ ଧୃତରାଷ୍ଟ୍ର ତାହା ଶୁଣି ନ ଥିଲେ। ଫଳରେ କୁରୁବଂଶର ବିନାଶ ଘଟିଥିଲା। ସେହିଭଳି ବର୍ତ୍ତମାନ ବିଜେଡିରେ ମଧ୍ୟ ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଦଳ କୁରୁବଂଶ ପରି ଧ୍ୱଂସ ହୋଇଯିବ ବୋଲି ସେ ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି, ଯେଉଁମାନେ ଦଳ ପାଇଁ ନିଷ୍ଠାର ସହ କାମ କରିଛନ୍ତି, ସେମାନଙ୍କୁ ଆଜି ‘ବିଶ୍ୱାସଘାତକ’ କୁହାଯାଉଛି। ମହାଭାରତର ପାଣ୍ଡବ ବଂଶକୁ ମଧ୍ୟ ବିଭିନ୍ନ ସମୟରେ ଅନ୍ୟାୟ ଭାବେ ଦୋଷାରୋପ କରାଯାଇଥିଲା। ଆଜି ମଧ୍ୟ ସେହିଭଳି ପରିସ୍ଥିତି ଦେଖାଯାଉଛି ବୋଲି ପ୍ରଭାତ ବିଶ୍ୱାଳ ମନ୍ତବ୍ୟ ଦେଇଛନ୍ତି।
ପ୍ରଭାତ ବିଶ୍ୱାଳଙ୍କ ଏହି ବୟାନକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜେଡି ପକ୍ଷରୁ ଏହା ଉପରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ପ୍ରତିକ୍ରିୟା ଆସିନାହିଁ।

