Categories: ରାଜ୍ୟ

ଅକ୍ଟୋବର ୨ରୁ ବିଜେଡିର ସମାଜ ସେବା କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬ା୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଜୁ ଜନତା ଦଳ କୋଭିଡ୍‌ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସଚେତନତା ଅଭିଯାନ ପରିବର୍ତ୍ତେ ବିିଭିନ୍ନ ସମାଜ ସେବା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତିି ନେଇଛି। ଏ ନେଇ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସାଢ଼େ ୪ କୋଟି ଓଡ଼ିଶାବାସୀ ଆମ ପରିବାର। ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିବା ସହିତ ପରିବାର ସଦସ୍ୟ ଭଳି ତାଙ୍କ ସୁଖଦୁଃଖର ସାଥି ହୋଇ ଆସିଛେ। କୋଭିଡ୍‌ ମହାମାରୀର ଭୟାବହତା ସମୟରେ ଅସୀମ ଦୃଢ଼ତା ପ୍ରଦର୍ଶନ କରି ପ୍ରତ୍ୟେକ ଘରର

ସଦସ୍ୟମାନଙ୍କ ନିକଟରେ ଛିଡ଼ାହୋଇ କର୍ମୀମାନେ ଯେଭଳି ଧୈର୍ଯ୍ୟ ଓ ତ୍ୟାଗର ନିଦର୍ଶନ ଦେଖାଇଛନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏବେ ସେହି ସାମାଜିକ ପ୍ରତିବଦ୍ଧତାକୁ ଆଉ ପାଦେ ଆଗକୁ ନେବାକୁ ନବୀନ ଦଳୀୟ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁୁଷ୍ଠାନ ପରିସର, ଶିକ୍ଷାନୁଷ୍ଠାନର ରାସ୍ତାଘାଟ ତଥା ସାଧାରଣ ସୁବିଧା କେନ୍ଦ୍ର ପ୍ରଭୃତି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହିତ ରକ୍ତଦାନ ଭଳି ମହତ୍‌ କାର୍ଯ୍ୟରେ ଅଂଶଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କର୍ମୀମାନଙ୍କୁ ଆହ୍ବାନ କରିଛନ୍ତି।

ଏଥିସହିତ ଗାନ୍ଧୀ ଜୟନ୍ତୀ ଓ ୧୧ ତାରିଖରେ ଲୋକନାୟକ ଜୟ ପ୍ରକାଶଙ୍କ ଜୟନ୍ତୀ ନିରାଡ଼ମ୍ବର ଭାବରେ ପାଳନ କରିବା ସହିତ ଗାନ୍ଧୀ ଜୟନ୍ତୀରୁ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଦଳର କର୍ମୀ ବିଭିନ୍ନ ପ୍ରମୁଖ ଦଳୀୟ ସଂଗଠନର କର୍ମକର୍ତ୍ତାମାନଙ୍କ ସହଯୋଗରେ କୋଭିଡ୍‌ ନିୟମ ପାଳନ କରି ଏହି ଗୁରୁତ୍ୱପୂର୍ଣ୍ଣ ସମାଜ ସେବା କାର୍ଯ୍ୟକ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।