ପାତ୍ରପୁର, ୩୧ା୧୦ (ଉମା ଚରଣ ନେପାକ): ବାତ୍ୟା ପରବର୍ତ୍ତୀ ବନ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପାତ୍ରପୁର ଅଞ୍ଚଳର କ୍ଷତିଗ୍ରସ୍ତ ଗାଁ ପରିଦର୍ଶନ କରିଛି। ଶନିବାର ଟିମ୍ର ସଦସ୍ୟମାନେ ଚିକିଟି ଓ ପାତ୍ରପୁର ବ୍ଲକର ମଇଶାନପୁର, ସୁରଳ, କେଶରୀପଡ଼ା, ଖମ୍ବାରୀଗାଁ ସମେତ ସୀମାନ୍ତବର୍ତ୍ତୀ ଗାଁ ବୁଲି ଲୋକଙ୍କ ସମସ୍ୟା ଓ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏହି ଟିମ୍ରେ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପ୍ରତାପ ଜେନା, ଶ୍ରୀକାନ୍ତ ସାହୁ, ଉଷା ଦେବୀ, ମନ୍ମଥ ରାଉତରାୟ, ଭୃଗୁ ବକ୍ସିପାତ୍ର, ଜିଲ୍ଲା ସଭାପତି ବିକ୍ରମ ପଣ୍ଡା, ରମେଶ ଚ୍ୟାଉ ପଟ୍ଟନାୟକ, ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଏବଂ ଚିକିଟି ଏନ୍ଏସି ଅଧ୍ୟକ୍ଷା ଦୀପା ସାହୁ ସାମିଲ ଥିଲେ।
ଘାଇ ଭାଙ୍ଗିବା ଯୋଗୁ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହେବା, ପଦ୍ମତଳା ନଦୀରେ ବିପଦସଙ୍କୁଳ ଭାବେ ଜଳ ପ୍ରବାହିତ ହେବା ଏବଂ ସୀତାସାଗର ହିଡ଼କୁ ଗାଁ ଲୋକେ ନିଜେ ମରାମତି କରିବା ଭଳି ଦୃଶ୍ୟ ଟିମ୍ର ସଦସ୍ୟମାନଙ୍କୁ ବିଚଳିତ କରିଥିଲା।
ଏହି ଗସ୍ତରେ ସଂଗ୍ରହ କରାଯାଇଥିବା ତଥ୍ୟ ଓ କ୍ଷୟକ୍ଷତିର ବିବରଣୀକୁ ନେଇ ରିପୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯିବ। ଏଥିସହ ବନ୍ୟା ପ୍ରଭାବିତ ଅଞ୍ଚଳର ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଟିମ୍ ପକ୍ଷରୁ କୁହାଯାଇଛି।
Dharitri – Odisha’s No.1 Odia Daily