ଭାଜପା ଗଡ଼ରେ ଶଙ୍ଖନାଦ

ବାରିପଦା ଅଫିସ,୨୭।୨: ମୟୂରଭଞ୍ଜ ଜିଲାର ୫୬ ଜିଲା ପରିଷଦ ଆସନ ମଧ୍ୟରୁ ଶନିବାର ପ୍ରଥମ ଦିନରେ ୨୬ଟି ଜୋନ୍‌ର ଭୋଟ ଗଣତି ହୋଇଛି। ଏଥିମଧ୍ୟରୁ ୨୫ଟିରେ ବିଜେଡି ଓ ଗୋଟିଏରେ ଜେଏମ୍‌ଏମ୍‌ ପ୍ରାର୍ଥୀ ଆଗୁଆ ରହିଛନ୍ତି। ୨୦୧୭ ନିର୍ବାଚନରେ ମୋଟ ୪୯ ଆସନ ଦଖଲ କରି ପରିଷଦ ଗଠନ କରିଥିବା ଭାଜପାର କୌଣସି ପ୍ରାର୍ଥୀ ପ୍ରଥମ ଦିନ ଗଣତିରେ ଆଗୁଆ ହୋଇ ପାରି ନାହାନ୍ତି। ଫଳରେ ଏଥର ଜିଲାରେ ଭାଜପାର ଗଡ଼ ଭୁଶୁଡ଼ିବା ଆଶଙ୍କା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ଗତ ନିର୍ବାଚନରେ ଭାଜପା ୪୯ ଆସନ ଜିତିଥିବା ବେଳେ ବିଜେଡିକୁ ୫ ଓ ଗୋଟିଏ ଲେଖାଏ ଆସନରେ ସ୍ବାଧୀନ ଓ ଜେଏମ୍‌ଏମ୍‌ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଜିଲାର ମୋଟ ୯ ବିଧାନସଭା ଆସନରୁ ବିଜେଡି ୩ଟିରେ ଜିତିଥିବା ବେଳେ ଭାଜପା ୬ ବିଧାୟକ ସମେତ ଏମ୍‌ପି ପଦ ମଧ୍ୟ ହାତେଇଥିଲା। ଏମ୍‌ପି ବିଶ୍ୱେଶ୍ୱର ଟୁଡୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହା ସତ୍ତ୍ୱେ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିରେ ଭାଜପା ଖାତା ଖୋଲି ନ ପାରିବା ଦଳୀୟ ସାଙ୍ଗଠନିକ ଦୁର୍ବଳତାକୁ ପଦାରେ ପକାଇଥିବା ଆଲୋଚନା ହେଉଛି।