ପ୍ରଦୀପ୍ତଙ୍କୁ ରୋକିବାକୁ ବିଜେଡିର ମହିଳା କାର୍ଡ

ଭବାନୀପାଟଣା,୨୪।୪(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ବିଧାନସଭା ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଭବାନୀପାଟଣା ବିଧାନସଭା ଆସନରୁ ଭାଜପା ତା’ର ସିଟିଂ ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କୁ ପୁଣି ଟିକେଟ ଦେଇଛି। ସେହିପରି କଂଗ୍ରେସ ମଧ୍ୟ ତା’ର ପୂର୍ବ ପ୍ରାର୍ଥୀଙ୍କୁ ରିପିଟ୍‌ କରିଛି। ଭକ୍ତଚରଣ ଦାସଙ୍କ ପୁଅ ସାଗର ଚରଣ ଦାସ ପୁଣିଥରେ ଟିକେଟ ପାଇଛନ୍ତି। ହେଲେ ବିଜେଡି ଏଥର ପ୍ରାର୍ଥୀ ବଦଳାଇ ମହିଳା କାର୍ଡ ଖେଳିଛି। ଗତଥର ବିଜେଡି ପ୍ରାର୍ଥୀ ଥିବା ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକଙ୍କୁ ବଦଳାଇ ତାଙ୍କ ସ୍ତ୍ରୀ ଲଳିତାଙ୍କୁ ଟିକେଟ ଦେଇଛି। ବିଜେଡିରୁ ବହୁ ଆଶାୟୀ ଥିଲେ ମଧ୍ୟ ଦଳ ଲଳିତାଙ୍କ ଉପରେ ଭରସା କରିଛି। କୁହାଯାଉଛି, ପ୍ରଦୀପ୍ତଙ୍କ ଗତିରୋଧ ପାଇଁ ବିଜେଡି ମହିଳା କାର୍ଡ ଖେଳିବାକୁ ପସନ୍ଦ କରିଛି।
ନିର୍ବାଚନମଣ୍ଡଳୀ ଭବାନୀପାଟଣା ବ୍ଲକର ୨୮ ପଞ୍ଚାୟତ, ପୌରପାଳିକା ସମେତ କେସିଙ୍ଗା ବ୍ଲକର ୧୭ ପଞ୍ଚାୟତ ଓ ଏନ୍‌ଏସିକୁ ନେଇ ଗଠିତ। ପ୍ରଦୀପ୍ତ ଭବାନୀପାଟଣାରୁ ଭାଜପା ଟିକେଟରେ ୪ଥର ବିଧାନସଭାକୁ ଯାଇଛନ୍ତି। ୧୯୯୫, ୨୦୦୦ ଓ ୨୦୦୪ରେ ଲଗାତର ତିନିଥର ସେହି ଆସନରୁ ବିଜୟୀ ହୋଇଥିଲେ। ସେ ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କଠାରୁ ପରାଜିତ ହୋଇଥିଲେ। ୨୦୧୪ରେ ପ୍ରଦୀପ୍ତ ବିଧାନସଭା ନିର୍ବାଚନ ଲଢ଼ି ନ ଥିଲେ। ଭାଜପା ଟିକେଟରେ ସେ କଳାହାଣ୍ଡି ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲେ। ସେହିବର୍ଷ ଭାଜପା ଏଠାରୁ ଦୟାନିଧି ନାଏକଙ୍କୁ ପ୍ରାର୍ଥୀ କରିଥିଲା। ତେବେ ସେ ବି ହାରିଯାଇଥିଲେ। ସେଠାରେ ବିଜେଡି ପ୍ରାର୍ଥୀ ଅନାମ ନାଏକ ଜିତିଥିଲେ। ୨୦୧୯ରେ ଭାଜପା ପୁଣିଥରେ ପ୍ରଦୀପ୍ତଙ୍କୁ ଭବାନୀପାଟଣା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା ଓ ସେ ବିଜୟୀ ହୋଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନ ଫଳାଫଳକୁ ଦେଖିଲେ ଭବାନୀପାଟଣାରୁ ପ୍ରତିଥର ଅଲଗା ଅଲଗା ଦଳର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ୨୦୦୯ରେ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକ ବିଜୟୀ ହୋଇଥିଲେ। ୨୦୧୪ରେ ଏଠାରୁ ବିଜେଡି ପ୍ରାର୍ଥୀ ଅନାମ ନାଏକ ବିଜୟୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଲୋକେ ପୁଣି ଭାଜପା ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକଙ୍କୁ ଜିତାଇଥିଲେ।
ନିର୍ବାଚନରେ ଭାଜପା, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଜଣାପଡ଼ିଛି। ଭାଜପା ପ୍ରାର୍ଥୀ ପ୍ରଦୀପ୍ତ କରୋନାରେ ଚିକିତ୍ସିତ ଥାଇ ମଧ୍ୟ ଲୋକଙ୍କ ସହ ଜଡ଼ିତ ଥିଲେ ବୋଲି କୁହାଯାଉଛି। ସୁସ୍ଥ ହେବାପରେ ନିଜ ମନୋବଳ ଓ ଲୋକଙ୍କ ସେବା କରିବାର ଦୃଢ଼ଇଚ୍ଛା ତାଙ୍କୁ ପୁଣିଥରେ ନିର୍ବାଚନ ମଇଦାନକୁ ଫେରାଇଆଣିଛି। ମୋଦି ସରକାରଙ୍କ ବିକାଶକୁ ନେଇ ସେ ଏବେ ଲୋକଙ୍କ ପାଖରେ ପହଞ୍ଚୁଥିବାବେଳେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଭାଜପା ସରକାରକୁ ବିଜୟୀ କରିବା ଲାଗି ଭୋଟରଙ୍କୁ ସେ ନିବେଦନ କରୁଥିବା ଦେଖିବାକୁ ମିଳିଛି। ସେହିପରି ବିଜେଡି ପ୍ରାର୍ଥିନୀ ଲଳିତା ନାଏକ ମଧ୍ୟ ନବୀନ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା, ମହିଳା ସଶକ୍ତୀକରଣକୁ ନେଇ ଲୋକଙ୍କ ନିକଟକୁ ଯାଉଛନ୍ତି। କଂଗ୍ରେସ ପ୍ରାର୍ଥୀ ସାଗର ଦଳର ୧୦ ଗ୍ୟାରେଣ୍ଟି ଇସ୍ତାହାର ଉପରେ କହିବା ସହ ଏଥର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି କହୁଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପ୍ରଦୀପ୍ତଙ୍କୁ ବିଜେଡିର ମହିଳା କାର୍ଡ ରୋକିପାରୁଛି ନା ୨୦୦୯ ଭଳି କଂଗ୍ରେସ ଚକ୍‌ମା ଦେବ, ତାହା ଭୋଟ ଗଣତି ପରେ ଜଣାପଡ଼ିବ।