ଥମିଲା ଚର୍ଚ୍ଚା: ଚକ୍ରମଣୀଙ୍କୁ ଦୋହରାଇଲା ବିଜେଡି

ଫୁଲବାଣୀ, ୧୨ା୪(ରାକେଶ କୁମାର ରାଉତ):କନ୍ଧମାଳ ଜିଲା ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ପୂର୍ଣ୍ଣଛେଦ ପକାଇଛନ୍ତି। ବିଧାୟକ ଥିବା ଚକ୍ରମଣୀ କହଁରଙ୍କୁ ପୁଣି ଭରସା କରି ତାଙ୍କୁ ବାଲିଗୁଡାର ବିଧାୟକ ପ୍ରାର୍ଥୀ ଘୋଷଣା କରିଛନ୍ତି। ଚକ୍ରମଣୀ ବିଧାୟକ ପ୍ରାର୍ଥୀ ହେବା ପରେ ତାଙ୍କ ସମର୍ଥକଙ୍କ ଗହଣରେ ଖୁସିର ଲହରୀ ଖେଳିଯାଇଛି। ଗତ ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେଡି ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେତେବେଳେ ସେ କ.ନୂଆଗାଁ ବ୍ଲକ ଅଧ୍ୟକ୍ଷ ଥିଲେ। ରାଜନୀତିକୁ ଆସିବା ପୂର୍ବରୁ ସେ ଶିକ୍ଷକତା କରୁଥିଲେ। ପୂର୍ବରୁ ମଧ୍ୟ କଂଗ୍ରେସ ପକ୍ଷରୁ ସୁରଦ ପ୍ରଧାନଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା ବେଳେ ଭାଜପା ପକ୍ଷରୁ କଳ୍ପନା କଅଁରଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି।