ସମ୍ବଲପୁର,୩।୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଶୋଭାଯାତ୍ରା ସମୟରେ ପଥରମାଡ଼, ଆକ୍ରମଣ ସହ ଜେହାଦୀ ନାରା ଦିଆଯାଇଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା। ରାଜ୍ୟ ସରକାରଙ୍କ ତୁଷ୍ଟୀକରଣ ନୀତି ଯୋଗୁ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୂର୍ବ ଯୋଜନା ଥିବା ଓ ସୂଚନା ଥାଇ ମଧ୍ୟ ସରକାର ଦଙ୍ଗା ରୋକିବାରେ ବିଫଳ ହେଲେ। ଓଡ଼ିଶାରେ ବିଜେଡି ସରକାର ଅପରାଧ ନିୟନ୍ତ୍ରଣ କରିପାରୁନାହିଁ। ଉତ୍ତରପ୍ରଦେଶ ସରକାରଠାରୁ ତାଲିମ ନେବା ଆବଶ୍ୟକ। ସେଠାରେ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଉପରେ ବୁଲ୍ଡୋଜର ଚଳାଯାଉଛି। ଓଡ଼ିଶା ସରକାର ଏଠାରେ ଓଲଟା ସୁରକ୍ଷା ଦେଉଛନ୍ତି। ପଶ୍ଚିମବଙ୍ଗ ଭଳି ସରକାର ଓଡ଼ିଶାରେ ରହିଛି। ରାଜ୍ୟ ପୋଲିସ ଉପରେ ଭରସା କରିହେବ ନାହିଁ। ତେଣୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ଆବଶ୍ୟକ ପଡ଼ିଲେ ଏନ୍ଆଇଏର ମଧ୍ୟ ସହଯୋଗ ନିଆଯିବ ବୋଲି ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସିଥିବା ଭାଜପା ସଂସଦୀୟ କମିଟି ସଦସ୍ୟମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ସଂସଦୀୟ କମିଟି ଅଧ୍ୟକ୍ଷ ଉତ୍ତରପ୍ରଦେଶ ରାଜ୍ୟ ସଭା ସଦସ୍ୟ ବ୍ରିଜ୍ ଲାଲ ଆହୁରି କହିଥିଲେ, ଶୋଭାଯାତ୍ରାରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରାଗଲା। ୟୁପିର ଅପରାଧୀ ଗୁଡ୍ଡୁ ମୁସଲିମ ଆସି ଓଡ଼ିଶାରେ ଆଶ୍ରୟ ନେଉଛି। ୟୁପି ଏସ୍ଟିଏଫ୍ ଏଠାକୁ ଆସି ଚଢ଼ାଉ କରୁଛି। ତେଣୁ ପୋଲିସ ବ୍ୟବସ୍ଥା ଢିଲା ହୋଇଛି। ଦଙ୍ଗା ଘଟଣାରେ ଆଦିବାସୀ ଯୁବକ ସ୍ବର୍ଗତ ଚନ୍ଦ୍ରଶେଖର ମିର୍ଦ୍ଧାଙ୍କ ପରିବାରର କାହାକୁ ଭେଟିବାକୁ ଦିଆଯାଉ ନାହିଁ। ରାତିଅଧିଆ ତାଙ୍କ ମୃତଦେହକୁ ପରମ୍ପରା ପାଳନ ନ କରି ବ୍ୟବଚ୍ଛେଦ କରିଦିଆଗଲା। ଏବେ ମଧ୍ୟ ତାଙ୍କ ଘରେ ତାଲା ପକାଇ ଦିଆଯାଇଛି। ଯଦି ପ୍ରଶାସନ ପାଖରେ ଖବର ନାହିଁ, ତା’ହେଲେ ତାଙ୍କୁ କ୍ଷତିପୂରଣ ଟଙ୍କା କିଭଳି ଦିଆଯାଉଛି। ସତ୍ୟକୁ ଲୁଚାଇବା ପାଇଁ ସରକାର ଲାଗିପଡ଼ିଛନ୍ତି। ହେଲେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ। ଦଳ ବିଧାନସଭା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସେ କହିଥିଲେ।
ସଂସଦୀୟ କମିଟି ସଦସ୍ୟମାନେ ପ୍ରଥମେ ବୁର୍ଲା ଥାନା ସାନସିଂହାରି ଗ୍ରାମର ମୃତକ ଚନ୍ଦ୍ରଶେଖର ମିର୍ଦ୍ଧାଙ୍କ ଘରକୁ ଯାଇଥିଲେ। ସେଠାରେ ପରିବାର ଅନୁପସ୍ଥିତ ଥିବାରୁ ପାଖ ପଡ଼ୋଶୀଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ଯୁଯୁମୁରା ଥାନା ଭବାନୀପାଲି ଗ୍ରାମର ଆହତ ବିଶ୍ୱନାଥ ଶିଖା (କାଳିଆ)ଙ୍କୁ ଭେଟିଥିଲେ। ଶୋଭାଯାତ୍ରା ସମୟରେ ହୋଇଥିବା ଆକ୍ରମଣ ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ପରେ ସର୍କିଟ ହାଉସରେ ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ମହିଳାମାନଙ୍କୁ ଭେଟି ଆଲୋଚନା କରିଥିଲେ। ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର, ଏସ୍ପି ବାତୁଳା ଗଙ୍ଗାଧରଙ୍କୁ ନେଇ ଆଇଜି ଅଫିସରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିଯୁକ୍ତ କରିଥିବା ଏହି କମିଟିରେ ଝାଡ଼ଖଣ୍ଡ ରାଜ୍ୟ ସଭା ସଦସ୍ୟ ସମୀର ଔରଁାବ, ରାଜ୍ୟ ସଭା ସଦସ୍ୟ ଆଦିତ୍ୟ ସାହୁ, ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଏମ୍ପି ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରି ନାଏକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଭୋଇ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ଉପସ୍ଥିତ ଥିଲେ ା


