ବିଜେଡି କର୍ମୀଙ୍କୁ ଗୁଳିକରି ହତ୍ୟା

ବଡ଼ବିଲ,୧ା୫(ସ୍ବ.ପ୍ର.): ବଡ଼ବିଲରେ ପୁଣି ଗୁଳିକାଣ୍ଡ ଘଟିଛି। ସୋମବାର ମନି ଟାୱାର ନିକଟ ଛକରେ ଯୁବକଙ୍କୁ ଗୁଳିକରି ହତ୍ୟାକାଣ୍ଡ ଭିଆଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ମୃତକ ହେଉଛନ୍ତି ସୁନୀଲ ସିହ୍ନା ଓରଫ ଭୋଲା।
ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ସାଢେ ୯ଟା ସମୟରେ ଭୋଲା ନିଜ ସ୍କୁଟିରେ ଘରକୁ ଯାଉଥିଲେ। ବଡ଼ବିଲ ପୋରାଞ୍ଚଳ ୱାର୍ଡ ନଂ. ୬ ସ୍ଥିତ ମନି ଟାୱାର ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଭୋଲାଙ୍କୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଭୋଲାଙ୍କର ବାମ ଆଖି ପାଖରେ ଗୁଳି ବାଜିଥିବା ଜଣାପଡିଛି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ପୋଲିସ ଗୋଟିଏ ଖୋକା ଜବତ କରିଥିବା ଜଣାପଡିଛି। ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ହେଁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।
ସୂଚନା ଥାଉକି, ଗତ ଦୁଇ ବର୍ଷ ତଳେ ୩ ଜଣ ଅଜଣା ଦୁର୍ବୃତ୍ତ ଭୋଲାଙ୍କୁ ବଡ଼ବିଲ ସେଣ୍ଟମେରୀ ସ୍କୁଲ ନିକଟରେ ମରଣାନ୍ତକ ଆକ୍ରମଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ତେବେ ସେତେବେଳେ ଏ ନେଇ ଥାନାରେ ଅଭିଯୋଗ କରି ନ ଥିଲେ ଭୋଲା। ସେ ଜଣେ ବିଜେଡି କର୍ମୀ ଏବଂ ବଡ଼ବିଲ ପୋରାଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କର ଅତି ଖାସ୍‌ ଲୋକ ବୋଲି କୁହାଯାଉଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯିବା ସହ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ବଡ଼ବିଲ ପୋଲିସ ଆଖ ପାଖରେ ଲାଗିଥିବା ବିଭିନ୍ନ ସିସି କ୍ୟାମେରାର ଫୁଟେଜକୁ ଯାଞ୍ଚ କରିବା ସହିତ ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ତେବେ ଏହି ଘଟଣା ପରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି।