ରେଳଧାରଣାରୁ ମିଳିଲା ବିଜେଡି ନେତାଙ୍କ ମୃତଦେହ: ସୁଇସାଇଡ ନୋଟରେ ଲେଖାଅଛି ମୋ ମୃତ୍ୟୁ ପାଇଁ…

ଝାରସୁଗୁଡ଼ା, ୨୩।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରରେ ଏକ ଚାଞ୍ଚଲ୍ୟକର ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଝାରସୁଗୁଡ଼ା ବାର୍‌ ଏସୋସିଏସନର ପୂର୍ବତନ ସଭାପତି ତଥା ସ୍ଥାନୀୟ ଅଞ୍ଚଳର ଜଣେ ବରିଷ୍ଠ ଓ ଲଢୁଆ ବିଜେଡି ନେତା ତ୍ରିନାଥ ଗୁଆଲଙ୍କ ମୃତଦେହ ମଙ୍ଗଳବାର ସକାଳେ ରେଳଧାରଣାରୁ ଉଦ୍ଧାର କରାଯାଇଛି। ଝାରସୁଗୁଡ଼ା ବାଲିଜୁରିସ୍ଥିତ ଟ୍ରେନ ଲାଇନ କଡ଼ରୁ ତାଙ୍କର ଅର୍ଧଲଗ୍ନ ଏବଂ କ୍ଷତବିକ୍ଷତ ମୃତଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ମଙ୍ଗଳବାର ସକାଳ ପ୍ରାୟ ୫:୩୦ ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଖବର ପାଇ ଝାରସୁଗୁଡ଼ା ଏସପି ଗୁଣ୍ଡାଳା ରେଡ୍ଡୀ ରାଘବେନ୍ଦ୍ରଙ୍କ ସମେତ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ସୂଚନା ଅନୁଯାୟୀ ରାଉରକେଲା କୋରାପୁଟ ଏକ୍ସପ୍ରେସ ଆଗକୁ ଡେଇଁ ଏହି ଅଘଟଣ ଘଟିଥିବା ଏସପି ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ରେଳବାଇ ପୋଲିସ (GRP) ଘଟଣାସ୍ଥଳରୁ ଏକ ହାତଲେଖା କାଗଜ ଜବତ କରିଛି, ଯେଉଁଥିରେ ଲେଖାଅଛି ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଏହି ଚିଠିକୁ ଆଧାର କରି ପୋଲିସ ଏହାକୁ ଏକ ଆତ୍ମହତ୍ୟାର ମାମଲା ବୋଲି ସନ୍ଦେହ କରୁଥିଲେ ମଧ୍ୟ ଆତ୍ମହତ୍ୟାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଝାରସୁଗୁଡା ପୋଲିସ ଏହି ଘଟଣାର ତଦନ୍ତ ଚଳାଇଥିବା ବେଳେ ପୋଷ୍ଟମର୍ଟମ ପାଇଁ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

 

Dharitri – Odisha’s No.1 Odia Daily

 

Share