‘ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଜେଡି ରାଜନୀତି କରୁଛି’

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଅସୁସ୍ଥ ହେବା ଗୁଜବ ଓ ଏହାର କିଛି ଘଣ୍ଟା ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ ଓ ଭାଜପା। କଂଗ୍ରେସର ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, କିଛି ଦିନର ଅଜ୍ଞାତବାସ ପରେ ମୁଖ୍ୟମନ୍ତ୍ରୀ ଆଜି ପଦାକୁ ଆସିଲେ, ଲିଙ୍ଗରାଜଙ୍କୁ ଦର୍ଶନ କଲେ ଓ ଗଣମାଧ୍ୟମ ସାମନାରେ ନିଜେ ସୁସ୍ଥ ଅଛନ୍ତି ବୋଲି କହିଲେ। ସେ ସୁସ୍ଥ ଅଛନ୍ତି ଜାଣି ଆମେ ଖୁସି ଓ ସୁସ୍ଥ ରହନ୍ତୁ ବୋଲି ଆମର ଲିଙ୍ଗରାଜଙ୍କ ପାଖରେ ପ୍ରାର୍ଥନା। କିନ୍ତୁ ନିଜେ ସୁସ୍ଥ ଅଛନ୍ତି ବୋଲି କହିବାବେଳେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ ଚାଲିଛି ବୋଲି ଯେଉଁ ଟିପ୍ପଣୀ ଦେଲେ ତାହା ଆମକୁ ରହସ୍ୟମୟ ଲାଗୁଛି। ଏହା ପୂର୍ବରୁ ଜାନୁୟାରୀ ୨୬ରେ ଏହିଭଳି ଏକ ଗୁଜବକୁ ସେ ଖଣ୍ଡନ କରିବାକୁ ଯାଇ ଭୁବନେଶ୍ୱର ରାଜରାସ୍ତାରେ ଚାଲୁଥିବାର ଆମେ ଦେଖିଥିଲୁ। ଏଭଳି ଗୁଜବ ଯେପରି ରହସ୍ୟମୟ ତାକୁ ଖଣ୍ଡନ କରିବା ପାଇଁ କାର୍ଯ୍ୟ ପଦ୍ଧତି ସେହିପରି ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟିକରେ। ପ୍ରଶ୍ନଆସେ ଏସବୁ ନିଜ ଦଳର ପ୍ରାୟୋଜିତ କାର୍ଯ୍ୟ ନୁହେଁତ। ପୁଣି ମୁଖ୍ୟମନ୍ତ୍ରୀଙ୍କ ଚାଲି ଚଳଣୀରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ପ୍ରତିତ ହେଉ ନ ଥିଲେ ଓ ଏଭଳି ସମୟରେ ସେ ଭଲ ଅଛନ୍ତି ବୋଲି ଦେଖାଇବା ପାଇଁ ତାଙ୍କୁ ଚଲାଇ ଚଲାଇ ନେବା ଦୁଃଖଦାୟକ। ତାଙ୍କ ସ୍ବାସ୍ଥ୍ୟକୁ ନେଇ କୌଣସି ରାଜନୀତି ହେବା ଉଚିତ ନୁହେଁ ବୋଲି ଦାସ କହିଛନ୍ତି।
ଅନ୍ୟପକ୍ଷରେ ଭାଜପା ନେତା ଯତୀନ ମହାନ୍ତି କହିଛନ୍ତି, ‘ଗୁଜବ ହେଲେ ବିଜେଡି ଭଲ କରେ’ ବୋଲି ମୁଖ୍ୟମନ୍ତ୍ରୀ ନିଜେ ଗଣମାଧ୍ୟମକୁ କହିଛନ୍ତି, ଏଥିରୁ କିଏ ଏହି ଗୁଜବ ସୃଷ୍ଟି କରିଛି ସ୍ପଷ୍ଟ ଅନୁମେୟ। ଏହା ଭୂତ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡେଇବା ସଦୃଶ। ନିର୍ବାଚନରେ ସହାନୁଭୂତି ସାଉଣ୍ଟିବା ପାଇଁ ବିଜେଡି ଓ ଏହାର କାର୍ଯ୍ୟକର୍ତ୍ତା ଏହିଭଳି ଗୁଜବ ସୃଷ୍ଟି କରିଛନ୍ତି। ପୂର୍ବରୁ ବି ଏହିଭଳି ଗୁଜବ ସୃଷ୍ଟି କରିଥିଲେ। ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ଆଳ ଦେଖାଇ ୨ ବର୍ଷ ହେବ ବିଧାନସଭା ମାଟି ମାଡିନାହାନ୍ତି। ଏପରିସ୍ଥଳେ ଗୁଜବ ଆଳରେ ଲିଙ୍ଗରାଜଙ୍କ ଦର୍ଶନ କରି ଗଣମାଧ୍ୟମକୁ ଆସିବା ରାଜନୀତି ଛଡ଼ା ଆଉ କିଛି ନୁହେଁ ବୋଲି ମହାନ୍ତି କହିଛନ୍ତି। ସେହିଭଳି ଦିଲୀପ ମହାନ୍ତି କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ଗୁହାରି ନ ଶୁଣିବେ, ବିଧାନସଭାକୁ ନ ଯିବେ, ମନ୍ତ୍ରୀ ପରିଷଦ ବୈଠକ ନ କରିବେ, ଜିଲାସ୍ତରୀୟ ସମୀକ୍ଷା କରିବେନି, ତେବେ ତାଙ୍କ ଅନୁପସ୍ଥିତିକୁ ଲୋକମାନେ ଏଭଳି କିଛି ବୁଝୁଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ମଝିରେ ମଝିରେ ଗଣମାଧ୍ୟମରେ ବାହାରି ମ୍ୟାଜିକ୍‌ କରିବାରେ ଲାଗିଛନ୍ତି।