ବିରୋଧୀ ଦଳ ପ୍ରଶ୍ନ କଲେ ବିଜେଡିକୁ କଷ୍ଟ ହେଉଛି: ଭାଜପା

ଭୁବନେଶ୍ବର, ୭ା୨(ବ୍ୟୁରୋ): ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଆତଙ୍କିତ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ନ ଦେଇ ବିଜେଡି ‘ଦୋଷାରୋପର ଖେଳ’ ଆରମ୍ଭ କରିଛି। ବିଶେଷକରି ନବ ଦାସଙ୍କୁ ତାଙ୍କ ସୁରକ୍ଷା ଅଧିକାରୀ ଗୁଳିକରି ହତ୍ୟା କରିବା ପରେ ଗୃହ ବିଭାଗର ମୁଖା ଖୋଲିଯାଇଛି। ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତ ଠିକ୍‌ ଭାବେ ନିଶ୍ଚିତ ହେବା ଉଚିତ୍‌। କିନ୍ତୁ ଏହା ହେଉ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ଭାବେ ଭାଜପା ପ୍ରଶ୍ନ ପଚାରିଲେ ବିଜେଡିକୁ କଷ୍ଟ ହେଉଛି। ପ୍ରଶ୍ନର ଜବାବ ଦେବା ବଦଳରେ ଶାସକ ଦଳର ନେତାମାନେ କେନ୍ଦ୍ରମନ୍ତ୍ରୀ, ବିରୋଧୀ ଦଳ ନେତାଙ୍କ ସମେତ ଭାଜପାର ନେତୃବୃନ୍ଦଙ୍କୁ ବ୍ୟକ୍ତିଗତ ଆକ୍ଷେପ କରିବା ସହିତ ମୂଳ ପ୍ରସଙ୍ଗରୁ ଓହରିଯାଇ କୁତ୍ସାରଟନା କରୁଛନ୍ତି ବୋଲି ଭାଜପା ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି। ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ମନୋଜ କହିଛନ୍ତି ଯେ, ୨୦୦୭ରେ ଘଟିଥିବା କନ୍ଧମାଳ ଘଟଣାକୁ ବୋଧହୁଏ ବିଜେଡି ଏମ୍‌ପି ସସ୍ମିତ ପାତ୍ର ଭୁଲିଯାଇଛନ୍ତି। ରାଜ୍ୟ ରାଜନୀତିରେ ଅପରାଧୀକରଣର ଅଧ୍ୟାୟ ଏଇଠୁ ଆରମ୍ଭ ହୋଇଥିଲା। ୨୦୦୭ର ଏହି ଘଟଣାର ତଦନ୍ତ କରିଥିବା ଜଷ୍ଟିସ୍‌ ବାସୁଦେବ ପାଣିଗ୍ରାହୀ କମିଶନ ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବା ସତ୍ତ୍ୱେ ଏହାକୁ ସାର୍ବଜନୀନ କରାଗଲା ନାହିଁ। ଏହାକୁ ରାଜ୍ୟ ସରକାର କାହିଁକି ଚାପି ରଖିଛନ୍ତି। ଏହାର ଜବାବ୍‌ ସସ୍ମିତ ପ୍ରଥମେ ରଖିବା ଉଚିତ। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସର ପକ୍ଷପାତିତା ଏବଂ ନ୍ୟାୟାଳୟର ହସ୍ତକ୍ଷେପ ଯୋଗୁ ତଦନ୍ତ ହେଉଥିବା ରବିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିବାବେଳେ ସୋମବାର ଆଉ ଏକ ନୂଆ ଅଧ୍ୟାୟ ଏଥିରେ ଯୋଡ଼ିହୋଇଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହା କ’ଣ ମିଛ ବୋଲି ମନୋଜ ପ୍ରଶ୍ନ କରିଛନ୍ତି।