ପ୍ରଥମ ବିଜୟ ଆଶାରେ ବିଜେଡି

ବଣାଇଁଁ, ୯ା୪ (ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଣାଇଁ ବିଧାନସଭା କ୍ଷେତ୍ର ଅଦ୍ୟାବଧି ବିଜୁ ଜନତା ଦଳ (ବିଜେଡି) ପାଇଁ ସ୍ବପ୍ନ ହୋଇ ରହିଛି। ଦଳ ଗଠନଠାରୁ ଏହା ଖାତା ଖୋଲିପାରି ନ ଥିବାରୁ ଆଗାମୀ ନିର୍ବାଚନରେ ଭଲ କରିବା ପାଇଁ କସରତ ଆରମ୍ଭ କରିଛି। ବିଜେଡି ଭୀମସେନ ଚୌଧୁରୀଙ୍କୁ ଏଥର ପ୍ରାର୍ଥୀ କରିଥିବା ବେଳେ ଭାଜପା ସେବତୀ ନାୟକଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ିଛି। କ୍ରମାଗତ ଦୁଇଥର ବିଧାୟକ ରହିଆସିଥିବା ଲକ୍ଷ୍ମଣ ମୁଣ୍ଡା କଂଗ୍ରେସ-ସିପିଆଇ(ଏମ୍‌) ମେଣ୍ଟ ପ୍ରାର୍ଥୀ ଭାବେ ଉଭା ହୋଇଛନ୍ତି।
ବଣାଇଁଁ ବିଧାନସଭା କ୍ଷେତ୍ର ଆଦିବାସୀଙ୍କ ପାଇଁ ସଂରକ୍ଷିତ ରହିଛି। ଏକଦା ଏଠାରୁ କଂଗ୍ରେସ ପ୍ରାର୍ଥୀ ଜିତି ଆସୁଥିବା ବେଳେ ୧୯୯୦ରେ ପ୍ରଥମ ଥର ପାଇଁ ଏହି ଆସନ ଭାଜପା ହାତକୁ ଯାଇଥିଲା। ୧୯୯୦ ଓ ୧୯୯୫ରେ ଜୁଏଲ ଓରାମ ଏହି କ୍ଷେତ୍ରରୁ ବିଧାୟକ ହୋଇଥିଲେ। ହେଲେ ୧୯୯୮ ସାଧାରଣ ନିର୍ବାଚନରେ ଜୁଏଲ ଲୋକ ସଭା ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ସୁନ୍ଦରଗଡ଼ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ଫଳରେ ୧୯୯୮ରେ ବଣାଇଁଁ ଆସନରେ ଉପନିର୍ବାଚନ ହେବାରୁ ସେଠାରୁ କଂଗ୍ରେସର ଜନାର୍ଦ୍ଦନ ଦେହୁରୀ ବିଧାୟକ ହୋଇଥିଲେ। ୨୦୦୦ରେ ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟ ହେବାରୁ ଭାଜପା ପ୍ରାର୍ଥୀ ଦୟାନିଧି କିଷାନ ୨୦୦୪ ପର୍ଯ୍ୟନ୍ତ ବିଧାୟକ ହୋଇଥିଲେ। ୨୦୦୪ରେ ହୋଇଥିବା ନିର୍ବାଚନରେ ପ୍ରାର୍ଥତ୍ତ୍ୱକୁ ନେଇ ଭାଜପାରେ କନ୍ଦଳ ଦେଖାଦେବାରୁ ସିପିଆଇ(ଏମ୍‌)ର ଲକ୍ଷ୍ମଣ ମୁଣ୍ଡା ବିଜୟୀ ହୋଇଥିଲେ। ଭାଜପା-ବିଜେଡି ମେଣ୍ଟ ଭାଙ୍ଗିବା ପରେ ୨୦୦୯ରେ ଭାଜପାର ଭୀମସେନ ଚୌଧୁରୀ ବିଧାୟକ ହୋଇଥିଲେ। ଏହାପରେ ୨୦୧୪ ଓ ୨୦୧୯ରେ ସିପିଆଇ(ଏମ୍‌) ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଧାୟକ ହୋଇଛନ୍ତି।
ବିଜେଡି ଗଠନକୁ ୨୭ ବର୍ଷ ପୂରିବା ଓ ତନ୍ମଧ୍ୟରୁ ଦଳ ୨୪ ବର୍ଷ ଶାସନ କ୍ଷମତାରେ ଥାଇ ମଧ୍ୟ ବଣାଇଁଁ ବିଧାନସଭା ନିର୍ବାଚନମଣ୍ଡଳୀରେ ଖାତା ଖୋଲି ପାରି ନ ଥିବା ବିଷୟ ସର୍ବଦା ଚର୍ଚ୍ଚାରେ ରହିଆସିଛି। ଦଳୀୟ ପ୍ରାର୍ଥୀଙ୍କ ଚୟନ ଠିକ୍‌ ହେଉ ନ ଥିବାରୁ ଦଳ ଉଧେଇ ପାରୁ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
୨୦୧୧ ଜନଗଣନା ଅନୁସାରେ ବଣାଇଁଁ ନିର୍ବାଚନମଣ୍ଡଳୀରେ ଭୋଟରଙ୍କ ମଧ୍ୟରେ ମୁଣ୍ଡା ସମ୍ପ୍ରଦାୟର ମତଦାତା ୨୦ ପ୍ରତିଶତ, କିଷାନ ସମ୍ପ୍ରଦାୟ ଭୋଟ ପ୍ରାୟ ୧୦ ପ୍ରତିଶତ ରହିଛି। ଜାତି ଆଧାର ଓ ଶ୍ରମିକ ସଙ୍ଗଠନକୁ ପାଥେୟ କରି ଲକ୍ଷ୍ମଣ ମୁଣ୍ଡା ବାରମ୍ବାର ଜିତି ଆସୁଥିବା କୁହାଯାଉଛି। କ୍ୟାଡରଭିତ୍ତିକ ଦଳୀୟ ଶୃଙ୍ଖଳା ସିପିଆଇ(ଏମ୍‌) ପ୍ରାର୍ଥୀଙ୍କ ବିଜୟର ଅନ୍ୟତମ କାରଣ ବୋଲି ଦର୍ଶାଯାଉଛି। ଯଦି ଶାସକ ଦଳ କଥା ଦେଖାଯାଏ, ଭୀମସେନ ଚୌଧୁରୀ ପୂର୍ବରୁ ଉଭୟ ଭାଜପା ଓ କଂଗ୍ରେସ ଛାଡ଼ି ବିଜେଡି ଆଶ୍ରାରେ ରହିଛନ୍ତି। ଭାଜପା ଏହି ଆସନରେ ମହିଳା କାର୍ଡ ଖେଳି ସେବତୀ ନାୟକଙ୍କୁ ପ୍ରାର୍ଥୀ କରିଛି। ସୁନ୍ଦରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ବଣାଇଁଁ ବିଧାନସଭା କ୍ଷେତ୍ର ଉପରଲିଖିତ ତିନି ଦଳ ଭିତରୁ କାହା ନିକଟକୁ ଯିବ, ତାହାକୁ ଅପେକ୍ଷା ରହିଛି। ଉଲ୍ଲେଖଯୋଗ୍ୟ, ଆସନ୍ତା ମେ ୨୦ରେ ଏଠାରେ ମତଦାନ ହେବା ନେଇ ଦିନ ଧାର୍ଯ୍ୟ ହୋଇଛି।