ପଞ୍ଚାୟତ ନିର୍ବାଚନ ସପକ୍ଷରେ ବିଜେଡି

ଭୁବନେଶ୍ୱର, ୬।୧(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏବେ କରୋନା ୩ୟ ଲହର ଭୟ ଘାରିବା ଆରମ୍ଭ ହୋଇଯାଇଛି। ରାଜ୍ୟ ସରକାର ବିଭିନ୍ନ ପ୍ରକାର ସ୍କିମ୍‌ ରାଜ୍ୟବାସୀଙ୍କ ଲାଗି ଘୋଷଣା କରି ପ୍ରସ୍ତୁତି ଚଳାଇଥିବା ବେଳେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯାଇଛି। କହିବାକୁ ଗଲେ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି ଏକ ପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଛି। ତେବେ ଓମିକ୍ରନ୍‌କୁ ନେଇ ସବୁଆଡ଼େ ଚିନ୍ତା ବଢ଼ିଚାଲିଥିବା ବେଳେ ଆଗକୁ ନିର୍ବାଚନ ସାମୟିକ ଭାବେ ଘୁଞ୍ଚାଯିବ ନା କଟକଣା ମଧ୍ୟରେ ଭୋଟ କରାଯିବ ତାକୁ ନେଇ ସବୁଆଡ଼େ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ବିରୋଧୀ ଏବେ ନିର୍ବାଚନ ସପକ୍ଷରେ ଥିଲା ଭଳି ମନେ ହେଉନାହିଁ। କଂଗ୍ରେସ ନିର୍ବାଚନ ବନ୍ଦ ରଖିବାକୁ ପ୍ରସ୍ତାବ ଦେଇଥିବା ବେଳେ ସରକାରଙ୍କ ନିଷ୍ପତ୍ତି ଉପରେ ଛାଡ଼ିଛି ଭାଜପା। ସେହିପରି ଲୋକଙ୍କ ସ୍ବାସ୍ଥ୍ୟ ଆଗ, ହେଲେ ଭୋଟ ମଧ୍ୟ ଠିକ୍‌ ସମୟରେ ହେବା ଦରକାର ବୋଲି ବିଜେଡି ଯୁକ୍ତି ବାଢ଼ିଛି। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁ ଜିଲାକୁ ନିର୍ବାଚନ ସମ୍ପର୍କିତ ଫର୍ମ, କାଳି ଓ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଛି। ୧୦ ତାରିଖରେ ମଧ୍ୟ ସର୍ବଦଳୀୟ ବୈଠକ ପାଇଁ ଡାକରା ସରିଛି।
ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଫେବୃୟାରୀ ବେଳକୁ ଓମିକ୍ରନ୍‌ ସଂକ୍ରମଣ ପିକ୍‌କୁ ଯିବ। ତେଣୁ ଡର ଲାଗୁଛି। ଅତ୍ୟଧିକ ହେଲେ ନିର୍ବାଚନ ହେବା ଠିକ୍‌ ନୁହେଁ। ଲୋକମାନେ ଲାଇନରେ ପାଖାପାଖି ଠିଆ ହେବେ, ସବୁ ପ୍ରକାର ସମାବେଶ କରିବେ। ତେଣୁ ତାକୁ ଦୃଷ୍ଟି ଦେବା ଜରୁରୀ ବୋଲି ସେ କହିଛନ୍ତି। ଭାଜପା ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଲୋକଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ। ସେଥିଲାଗି ନିର୍ବାଚନ କମିଶନ କିମ୍ବା ରାଜ୍ୟ ସରକାର ଯାହା ବି ନିଷ୍ପତ୍ତି ନେବେ ତାହାକୁ ଗ୍ରହଣ କରିବେ। ବର୍ତ୍ତମାନ ନିର୍ବାଚନ ହେଲେ ବି ଭାଜପା ଲଢ଼ିବ। ସ୍ବାସ୍ଥ୍ୟଗତ କାରଣରୁ ବନ୍ଦ କରାଗଲେ ସ୍ବାଗତ କରିବେ ବୋଲି ପୃଥ୍ବୀରାଜ କହିଛନ୍ତି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଲୋକଙ୍କ ଜୀବନ, ଜୀବିକା ଗୁରୁତ୍ୱପୂର୍ଣ୍ଣ। ତେବେ ଆମେମାନେ ଦୃଢ଼ବିଶ୍ୱାସ ରଖିଛୁ ଏ ଲହରକୁ ମଧ୍ୟ ଓଡ଼ିଶା ପରାସ୍ତ କରିବ। ନିର୍ବାଚନ ଯେବେ ହେବ ସେଥିଲାଗି ପ୍ରସ୍ତୁତ ହେବୁ। ଆମେ ଚାହୁଁଛୁ ନିର୍ବାଚନ ତୁରନ୍ତ ହେଉ। ନିର୍ବାଚନ ହେବ ନା ବନ୍ଦ ହେବ ସେନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ ବୋଲି ଲେନିନ୍‌ କହିଛନ୍ତି।