କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ ନିଯୁକ୍ତ କରାଯାଇଛି।

ଗତ ଶନିବାର ରାଜ୍ୟ ବିଜେଡି କାର୍ଯ୍ୟାଳୟ ଶଙ୍ଖ ଭବନରୁ ଏନେଇ ଅଧିକାରିକ ଭାବେ ଘୋଷଣା କରାଯାଇଥିଲା। ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର ଅଧିକାରିକ ପ୍ୟାଡ୍‌ରେ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି।

ନୂତନ ଦାୟିତ୍ୱ ପାଇବା ପରେ କପିଳେନ୍ଦ୍ର ମଲ୍ଲିକ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ବିଜେଡି ଜିଲା ସଭାପତି ଶିବପ୍ରସାଦ ଭଳଙ୍କ ସମେତ ରାଜକନିକା ଅଞ୍ଚଳର ସମସ୍ତ ବରିଷ୍ଠ ନେତା ଓ ଯୁବ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି।

କପିଳେନ୍ଦ୍ର ମଲ୍ଲିକଙ୍କୁ ନୂତନ ଦାୟିତ୍ୱ ମିଳିବା ପରେ ବିଜେଡି କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ତୃଣମୂଳ ସ୍ତରରୁ ଦଳକୁ ଆହୁରି ମଜଭୁତ କରିବା ସହ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦେବା ତାଙ୍କର ପ୍ରମୁଖ ଲକ୍ଷ୍ୟ। ଦଳୀୟ କର୍ମୀ ଓ ନେତୃତ୍ୱଙ୍କ ସହଯୋଗରେ ସେ ନୂତନ ଦାୟିତ୍ୱ ତୁଲାଇବେ ବୋଲି କହିଛନ୍ତି।

 

Dharitri – Odisha’s No.1 Odia Daily

 

 

Share