୨୪ ବର୍ଷରେ ଖାତା ଖୋଲିପାରିନି ବିଜେଡି

ସୁନ୍ଦରଗଡ଼,୨ା୪(ଜୟ ନାରାୟଣ ମେଣ୍ଡୁଳି):ସୁନ୍ଦରଗଡ଼ ଲୋକ ସଭା ଆସନ ପାଇଁ ଭାଜପା ପୁଣି ଜୁଏଲଙ୍କ ଉପରେ ଭରସା କରି ଟିକେଟ ଦେଇଛି। ଅନ୍ୟପକ୍ଷରେ ବିଜେଡି ଏଥର ହକି ଇଣ୍ଡିଆର ସଭାପତି ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଛି। ଭାଜପାର ଭେଟେରାନ ନେତା ଜୁଏଲଙ୍କୁ ବିଜେଡିର ଦିଲୀପ କଡ଼ା ଟକ୍କର ଦେବେ ବୋଲି ଚର୍ଚ୍ଚା ହେଉଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଲୋକ ସଭା ଆସନ ହାତେଇବାକୁ ୩ ପ୍ରମୁଖ ରାଜନୈତିକ ଦଳ ଭାଜପା, ବିଜେଡି ଓ କଂଗ୍ରେସ ଦଳ ରଣନୀତି ଆରମ୍ଭ କରିଦେଇଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କଂଗ୍ରେସ ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ।
ନିର୍ବାଚନରେ ଭାଜପାର ଜୁଏଲ ଓରାମ ବିଜୁ ଜନତା ଦଳ ପ୍ରାର୍ଥତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସର ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ବାଳଙ୍କୁ ପରାଜିତ କରିଥିଲେ। ଜୁଏଲ ୧୯୯୮, ୧୯୯୯, ୨୦୦୪, ୨୦୧୪ ଓ ୨୦୧୯ରେ ଏହି ଆସନରୁ ଭାଜପା ଟିକେଟରେ ବିଜୟୀ ହୋଇ କେନ୍ଦ୍ରରେ ଦୁଇ ଥର ମନ୍ତ୍ରୀ ପଦ ପାଇଛନ୍ତି। ଉକ୍ତ ଆସନରୁ ୨୦୦୯ରେ କଂଗ୍ରେସର ସ୍ବର୍ଗତ ହେମାନନ୍ଦ ବିଶ୍ବାଳ ବିଜୟୀ ହୋଇ ଏମ୍‌ପି ହୋଇଥିଲେ। ମାତ୍ର ୨୪ ବର୍ଷର ଶାସନ କାଳ ମଧ୍ୟରେ ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ ଏହି ଆସନ ହାତେଇବାରେ ସଫଳ ହୋଇପାରିନାହିଁ। ୨୦୧୯ରେ ସୁନୀତାଙ୍କୁ ପ୍ରାର୍ଥୀ କରି ଭାଜପା ଓ କଂଗ୍ରେସର ପାରମ୍ପରିକ ଆଦିବାସୀ ଭୋଟ ହାତେଇ ବିଜୟୀ ହେବାକୁ ବିଜେଡି ଆଶା ରଖିଥିଲା। ହେଲେ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଏଥର କିନ୍ତୁ ବିଜେଡି ଏହି ଆସନକୁ ଅଧିକ ଫୋକସରେ ରଖି ଗତ ୫ବର୍ଷ ମଧ୍ୟରେ ଜିଲାରେ ନିଜର ସାଙ୍ଗଠନିକ ସ୍ଥିତିକୁ ପୂର୍ବାପେକ୍ଷା ସୁଦୃଢ଼ କରିଛି। ଏକଦା ଏହି ଲୋକ ସଭା ଆସନ କଂଗ୍ରେସର ଗଡ଼ କୁହାଯାଉଥିଲା ବେଳେ ପରବର୍ତ୍ତୀ ସମୟରେ ଏହା ଭାଜପାର ଗଡ଼ ହୋଇଛି। ୨୦୧୪ରେ ଦିଲ୍ଲୀପ ତିର୍କୀଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିଥିଲା। ସେତେବେଳେ ମଧ୍ୟ ବିଜୁ ଜନତା ଦଳ ସଫଳ ହୋଇ ନ ଥିଲା।
ଜୁଏଲଙ୍କୁ ଟକ୍କର ଦେବାକୁ ବିଜେଡି ସ୍ବତନ୍ତ୍ର ରଣନୀତି କରିଥିବା କୁହାଯାଉଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୁନ୍ଦରଗଡ଼ ଜିଲାକୁ ଫୋକସରେ ରଖି ବ୍ୟାପକ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିଛନ୍ତି। ସେଥିମଧ୍ୟରୁ ରାଉରକେଲାରେ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ସହ ହକି ବିଶ୍ବକପ ଆୟୋଜନ, ଜିଲାର ୧୭ଟି ବ୍ଲକରେ ହକି ଖେଳ ପାଇଁ ସ୍ବତନ୍ତ୍ର ଆଷ୍ଟ୍ରୋଟପ ବ୍ୟବସ୍ଥା, କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି, ଆଦିବାସୀଙ୍କ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ବିକାଶ ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି। ଏହାରି ମାଧ୍ୟମରେ ଆଦିବାସୀଙ୍କ ନିକଟତର ହେବା ପାଇଁ ବିଜେଡି ପ୍ରୟାସ କରିଛି। ଏଥିସହ ଅନ୍ୟାନ୍ୟ ଯୋଜନା ତଥା କାର୍ଯ୍ୟକ୍ରମ ଯୋଗୁ ଜିଲାରେ ଏଥର ବିଜେଡି ସଫଳତା ହାସଲ କରିବ ବୋଲି ବିଜେଡି ଶିବିର ଦାବି କରିଛି। ଅପରପକ୍ଷରେ ଭାଜପା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନ ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଯୋଗୁ ଲୋକଙ୍କ ଆସ୍ଥାଭାଜନ ହୋଇ ପୁଣିଥରେ ଲୋକ ସଭା ଓ ଜିଲାର ୭ଟି ବିଧାନସଭା ଆସନରେ ବିଜୟୀ ହେବ ବୋଲି ଆଶା ବାନ୍ଧିଛି।
କଂଗ୍ରେସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୁଞ୍ଜିବାଦ ଶାସନ ଓ ଆଦିବାସୀ, ଗରିବ, ଦଳିତମାରଣ ନୀତି ବିରୋଧରେ ଲୋକେ ଏଥର କଂଗ୍ରେସ ଉପରେ ଭରସା କରିବେ ବୋଲି ଦାବି କରିଛି। କଂଗ୍ରେସ ଗତ ନିର୍ବାଚନରେ ଜିଲାର ଆଦିବାସୀ ନେତା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏଥର ସେ କଂଗ୍ରେସ ହାତ ଛାଡ଼ିଛନ୍ତି। ଅନ୍ୟ ଥର ଅପେକ୍ଷା ଏଥର ଜୁଏଲଙ୍କୁ ମୋଦି ଭରସା ଓ ସେ କଡ଼ା ମୁକାବିଲାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। କେତେକ ସାମାଜିକ ଗଣମାଧ୍ୟମରେ ‘ମୋଦି ଜରୁରୀ, ଜୁଏଲ ମଜବୁରୀ’ ବୋଲି ଚର୍ଚ୍ଚା ରାଜନୈତିକ ଆଲୋଚନାକୁ ଆହୁରି ରସାଳ କରିଛି। ଏପଟେ ଦିଲୀପ ଶୁକ୍ରବାରଠାରୁ ତାଙ୍କର ପ୍ରଚାର ଅଭିଯାନ ଆରମ୍ଭ କରି ସୁନ୍ଦରଗଡ଼ବାସୀଙ୍କ ଆଶୀର୍ବାଦ କାମନା କରିଛନ୍ତି। ଏପରିକି କଂଗ୍ରେସର କିଛି ନେତାଙ୍କୁ ବିଧାୟକ ଟିକେଟ ଦେଇ ଭାଜପା ଲୋକ ସଭା ଭୋଟରେ ବୃଦ୍ଧି ପାଇଁ ମଧ୍ୟ ଯୋଜନା କରୁଥିବା ନେଇ ଆଲୋଚନା ଚାଲିଛି।