ପରଲୋକରେ ବିଜେଡି ବ୍ଲକ ସଭାପତି

ସମ୍ବଲପୁର,୨୨ା୯(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବ୍ଲକ ବିଜେଡି ସଭାପତି ରାଜ କୁମାର ଶୁକ୍ଲା (୬୫)ଙ୍କ ଗୁରୁବାର ପରଲୋକ ଘଟିଛି। ପକ୍ଷାଘାତରେ ପୀଡିତ ହୋଇ ପ୍ରାୟ ୧ ବର୍ଷ ଧରି ସେ ଶଯ୍ୟାଶାୟୀ ଥିଲେ। ମୃତ୍ୟୁ ଖବର ପାଇ ବହୁ ନେତା, ସହକର୍ମୀ, ବୁଦ୍ଧିଜୀବୀ ତାଙ୍କ ଗୋଡପୋଷସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ମରଶରୀରକୁ ଶୋଭାଯାତ୍ରାରେ ଗାଁ ଶ୍ମଶାନକୁ ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ହିନେସ ତାଙ୍କୁ ମୁଖାଗ୍ନୀ ଦେଇଥିଲେ।

ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଜିଲା ବିଜେଡି ସଭାପତି ସିଦ୍ଧାର୍ଥ ଦାଶ, କୁଚିଣ୍ଡା ବ୍ଲକ ଅଧ୍ୟକ୍ଷ ଭୁବନେଶ୍ୱର କିଷାନ, ବାମରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଦୀପ ମିଶ୍ର, ଜିଲା ପରିଷଦ ସଭାପତି କୁମଦିନୀ ନାଏକ, ମାନେଶ୍ୱର ବ୍ଲକ ବିଜେଡି ସଭାପତି ଗୋପିରଞ୍ଜନ ବେହେରା, ମନୋଜ ମହାପାତ୍ର, ହୀରାଲାଲ ବେହେରାଙ୍କ ସମେତ ବହୁ ଦଳୀୟ ନେତା ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସୂଚନାଯୋଗ୍ୟ ରାଜକୁମାର ୧୯୯୦ରୁ ରାଜନୀତିରେ ଯୋଗଦେଇଥିଲେ। ଗୋଡପୋଷ ଲ୍ୟାମ୍ପ୍ସ ସଭାପତି, ବିଭିନ୍ନ ସ୍କୁଲ, କଲେଜରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ ତୁଲାଇଥିଲେ। ୨୦୧୫ରୁ ବାମରା ବ୍ଲକ ବିଜେଡି ସଭାପତି ଭାବେ କାର୍ଯ୍ୟ କରିଆସୁଥିଲେ।