ସଦର ବ୍ଲକ ଦଖଲ ପାଇଁ ଛକାପଞ୍ଝା, ଅଜ୍ଞାତବାସରେ ସମିତି ସଭ୍ୟ

ବାଲେଶ୍ୱର ଅଫିସ, ୪।୩: ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳ ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ଉପରେ ସମସ୍ତଙ୍କ ନଜର ରହିଛି। ବାଲେଶ୍ୱର ଜିଲା ସଦର ବ୍ଲକର ଅଧ୍ୟକ୍ଷ ପଦ ପାଇଁ ବିଜେଡି-ଭାଜପା ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ମୋଟ ୩୭ ପଞ୍ଚାୟତରୁ ଅଧ୍ୟକ୍ଷ ପଦ ପାଇଁ ୧୯ଜଣ ସମିତିସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିବା ବେଳେ ସେଥିମଧ୍ୟରୁ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ୧୫ଟି ଆସନରେ ଜିତିଛନ୍ତି। ଭାଜପା ସମର୍ଥତ୍ତ ପ୍ରାର୍ଥୀ ୧୪ ଓ ସ୍ବାଧୀନ ପ୍ରାର୍ଥୀ ଭାବେ ୮ଜଣ ପ୍ରାର୍ଥୀ ଜିତିଥିବା ଜଣାପଡ଼ିଛି। ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ ହାତେଇ ବ୍ଲକ ଅଧ୍ୟକ୍ଷ ପଦ କବ୍‌ଜା କରିବା ପାଇଁ ଉଭୟ ଦଳ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି।

ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷ ପଦ ଚଳିତବର୍ଷ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ତେବେ ଚଳିତ ନିର୍ବାଚନ ରସୁଲପୁର, କୁରାଡ଼ିହା, ଛାନୁଆ, ବୁଆଁଳ ଓ ରଣସାହି ପଞ୍ଚାୟତର ସମିତିସଭ୍ୟ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିଲା। ସେହିପରି ରସାଳପୁର, ଶାସଙ୍ଗ, ଓଡ଼ଙ୍ଗି, ଗୁଡୁ ଓ ଜୟଦେବକସବା ପଞ୍ଚାୟତର ସମିତିସଭ୍ୟ ଆସନ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା।

ଏହି ସବୁ ଆସନରେ ନିର୍ବାଚିତ ହୋଇଥିବା ମହିଳା ସମିତି ସଦସ୍ୟମାନଙ୍କୁ ନେଇ ଅଧ୍ୟକ୍ଷା ପଦ ପାଇଁ ଅଙ୍କକଷା ଆରମ୍ଭ ହୋଇଛି। ପ୍ରତ୍ୟେକ ଦଳ ନିଜ ନିଜର ନିର୍ବାଚିତ ସମର୍ଥିତ ବିଜୟୀ ପ୍ରାର୍ଥୀଙ୍କୁ ପୁରୀ, ଭୁବନେଶ୍ୱର, କୋଲକାତା ଭଳି ସହରରେ ଥିବା ହୋଟେଲ୍‌, ରିସୋର୍ଟ, ଫାର୍ମ ହାଉସ୍‌ ଆଦିରେ ନେଇ ରଖିଛନ୍ତି। ସେହିପରି କିଛି ସ୍ବାଧୀନ ବିଜୟୀ ପ୍ରାର୍ଥୀଙ୍କୁ ନେତାଙ୍କ ଫାର୍ମହାଉସ୍‌ ତଥା ଗୋପନୀୟ ସ୍ଥାନରେ ରଖାଯାଇଛି। ଯେପରି ସେମାନେ ଅନ୍ୟ କାହା ସହିତ ମିଶି ନ ପାରିବେ ସେଥିପାଇଁ କଡ଼ା ନଜର ରଖି ଦଳୀୟ ନେତୃବର୍ଗଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୧୨ତାରିଖରେ ହେବାକୁ ଥିବା ଅଧ୍ୟକ୍ଷ ନିର୍ବାଚନର ପୂର୍ବ ରାତି ଯାଏ ସଦସ୍ୟମାନଙ୍କର ରହିବା ବନ୍ଦୋବସ୍ତ ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଆସନ୍ତା ୧୨ତାରିଖ ପୂର୍ବାହ୍ନରେ ସମସ୍ତ ସମିତିସଭ୍ୟ ବାଲେଶ୍ୱରରେ ପହଞ୍ଚତ୍ ନିର୍ବାଚନରେ ଭାଗ ନେବେ। ଦଳର ମୁଖ୍ୟଙ୍କ ନିର୍ଦ୍ଦେଶ ଅନୁସାରେ ବ୍ଲକର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ସମିତିସଭ୍ୟମାନେ ନାମାଙ୍କନ ପତ୍ର ଦାଖଲ କରିବେ। ଏନେଇ ବିଧାୟକ, ବିଧାୟକ ପ୍ରାର୍ଥୀ ଏବଂ ବରିଷ୍ଠ ନେତାମାନେ ଚଳଚଞ୍ଚଳ ହୋଇଉଠିଛନ୍ତି।