ସିଟ୍‌ ବିଜେଡି ହାତରେ ପଡ଼ୁ

ଭଦ୍ରକ, ୧୨।୩ (ରବିନାରାୟଣ ଖିଲାର):ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ଦ୍ୱନ୍ଦ୍ୱରେ। କେତେକେ ମେଣ୍ଟ ଚାହୁଁ ଥିବାବେଳେ ଅଧିକାଂଶ ସପକ୍ଷରେ ନାହାନ୍ତି। ଏଭଳିସ୍ଥଳେ ଭଦ୍ରକ ବିଜେଡି ଲୋକ ସଭା ଆସନକୁ ଅକ୍ତିଆର କରିବା ପାଇଁ ରାଜ୍ୟ ମୁଖିଆଙ୍କୁ ଅବଗତ କରାଇଛନ୍ତି।
ଜିଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀ ସମେତ ବାଲେଶ୍ୱର ଜିଲାର ସୋର ଓ ସିମୁଳିଆକୁ ମିଶାଇଲେ ମୋଟ ୭ ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଭଦ୍ରକ ଲୋକ ସଭା ଆସନ। ମେଣ୍ଟ ହେଲେ ଭଦ୍ରକ ଏମ୍‌ପି ଆସନ ଭାଜପା ଭାଗରେ ପଡ଼ିବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ବିଜେଡି ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଥିନେଇ ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ବାଇଁ, ଯୁବ ସଭାପତି ମୁକୁନ୍ଦ ସାମଲ, ଛାତ୍ର ସଭାପତି ଦୀପ୍ତିସୂର୍ଯ୍ୟ ବିଶ୍ୱାଳ, ମହିଳା ସଭାନେତ୍ରୀ ବିଦ୍ୟୁତ୍‌ଲତା ନାୟକଙ୍କ ସମେତ କେତେ ଜଣ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିବା ସହ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସ ବର୍ମାଙ୍କୁ ମଧ୍ୟ ଏ ବିଷୟରେ ଅବଗତ କରାଇଛନ୍ତି।
ବିଜେଡି ନେତାଙ୍କ କହିବା କଥା ହେଲା, ଭଦ୍ରକ ସଂସଦୀୟ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ ୮୦ ହଜାର ସଂଖ୍ୟାଲଘୁ ଭୋଟର ଅଛନ୍ତି। ଅଧିକାଂଶ ସଂଖ୍ୟାଲଘୁ ଭୋଟର ବିଜେଡି ସହ ଅଛନ୍ତି। ଏଭଳି କ୍ଷେତ୍ରରେ ମେଣ୍ଟ ହେଲେ ଭାଜପା ଯଦି ଏମ୍‌ପି ପ୍ରାର୍ଥୀ ଦିଏ, ତେବେ ସଂଖ୍ୟାଲଘୁ ଭୋଟରଙ୍କୁ ବିଜେଡି ହାତଛଡ଼ା କରିବ ବୋଲି ଜିଲା ସଭାପତି ସ୍ବାଇଁ ଏକ ପ୍ରେସ୍‌ ବିବୃତିରେ ଜଣାଇଛନ୍ତି। ଭଦ୍ରକ ସଂସଦୀୟ କ୍ଷେତ୍ରରେ ସମସ୍ତେ ସଚେତନ ଭୋଟର ଅଛନ୍ତି। ଏଣୁ ଏହାକୁ ବିଚାରକୁ ନେଇ ଯଦି ମେଣ୍ଟ ହୁଏ ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ରକୁ ବିଜେଡିକୁ ଦିଆଯାଏ, ତେବେ ଦଳ ମଜଭୁତ ସ୍ଥିତିରେ ରହିବ ବୋଲି ସେମାନେ ଦାବି କରିଛନ୍ତି। ୨୦୧୯ରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ୨୮,୮୦୩ ଭୋଟ୍‌ରେ ଭାଜପା ପ୍ରାର୍ଥୀଙ୍କୁ ପରାଜିତ କରିଥିଲା। ଏଥର କିନ୍ତୁ ଭାଜପା ଏହି ଆସନ ଉପରେ ଅଧିକ ଫୋକସ୍‌ କରୁଛିି। ପ୍ରକାଶଥାଉ କି, ୧୯୯୫ଠାରୁ ଲଗାତର ବିଜେଡି ଭଦ୍ରକ ଲୋକ ସଭା ଆସନରେ ବିଜୟୀ ହୋଇଆସୁଛି।