Categories: ଜାତୀୟ

ବିଜେଡି, ଭାଜପା ପଦ୍ମପୁରବାସୀଙ୍କୁ ଠକିଛନ୍ତି: ଶରତ

ପଦ୍ମପୁର,୩ା୧୨(ଡି.ଏନ.ଏ.): ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣକୁ ଆଉ ୩ ଦିନ ବାକି ଅଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ପଦ୍ମପୁର କର୍ମୀ ସମ୍ମିଳନୀ ଏବଂ ସାଧାରଣ ସଭାରେ ଯୋଗ ଦେଇଥିଲେ। ଆସନ୍ତା ୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍‌ ଦେଇ ଜୟଯୁକ୍ତ କରିବା ପାଇଁ ସେମାନେ ଜନ ସାଧାରଣଙ୍କୁ ନିବେଦନ କରିଥିଲେ। ପିସିସି ସଭାପତି ପଦ୍ମପୁର ବ୍ଲକର କଂସର ଓ ଦହିତା ପଞ୍ଚାୟତର ଦୁଇଟି ବିଶାଳ ସମାବେଶରେ ଯୋଗଦେଇ କହିଥିଲେ, ଉଭୟ ବିଜେଡି ଓ ଭାଜପା ସରକାର ଦୀର୍ଘ ୨୨ବର୍ଷ ଧରି ସାଧାରଣ ଜନତାଙ୍କୁ ଠକିଚାଲିଛନ୍ତି। ଏହି ଉପନିର୍ବାଚନରେ ବି ମିଛ ପ୍ରତିଶ୍ରୁତି, ପ୍ରଲୋଭନ ଦେଖାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ମଧ୍ୟରେ କୌଣସି ତାଳମେଳ ରହୁନାହିଁ। ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁରକୁ ଜିଲା କରିବେ। କିନ୍ତୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୁରୁବାର ମୋରଡା ବିଧାୟକ ରାଜକିଶୋର ଦାସଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ କହିଛନ୍ତି, ନୂଆ ଜିଲା ଗଠନର କୌଣସି ପ୍ରସ୍ତାବ ନାହିଁ। ପଦ୍ମପୁରବାସୀଙ୍କୁ ଏପରି ଛଳନା କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ପଟ୍ଟନାୟକ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ୱର ବାବୁ, ପୂର୍ବତନ ମନ୍ତ୍ରୀ ଯୁଧିଷ୍ଠିର ଜେନା, ଶୁଭେନ୍ଦୁ ମହାନ୍ତି, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଭୁଜବଳ ମାଝୀ, ମୁଖପାତ୍ର ରଜନୀ ମହାନ୍ତି, ଅମୀୟ ପାଣ୍ଡବ, ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର, ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share