ବିଜେଡି, ଭାଜପା ପ୍ରାର୍ଥୀଙ୍କ ପ୍ରଚାର ପ୍ରତିଯୋଗିତା

ଝାରସୁଗୁଡ଼ା ଅଫିସ,୧୮ା୫: ବ୍ରଜରାଜନଗର ଉପନିର୍ବାଚନ ଲାଗି ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ଓ ଭାଜପା ପ୍ରାର୍ଥତ୍ନୀ ରାଧାରାଣୀ ପଣ୍ଡା ନିଜ ସମର୍ଥକଙ୍କୁ ଧରି ଲଖନପୁର ବ୍ଲକ୍‌ ୧୯ଖଣ୍ଡ ମୌଜା ଅଞ୍ଚଳରେ ପ୍ରଚାର ଆରମ୍ଭ କରିଛନ୍ତି। ଏଠାରେ ଉଭୟ ପ୍ରାର୍ଥିନୀଙ୍କ ପ୍ରଚାର ପ୍ରତିଯୋଗିତା ମୂଳକ ଭାବେ ଚାଲିଛି।
ଭାଜପା ପ୍ରାର୍ଥିନୀ ପଣ୍ଡା ଗତ ସୋମବାର ୧୯ଖଣ୍ଡ ମୌଜାର ନିଜ ଗ୍ରାମ ଧୂଲୁଣ୍ଡାରୁ ବାହାରି ୨ଦିନ ହେଲାଣି ପ୍ରଚାର ଚଳାଇଛନ୍ତି। ସେହିପରି ବିଜେଡି ପ୍ରାର୍ଥିନୀ ମହାନ୍ତି ୨ଦିନ ଧରି ସ୍ଥାନୀୟ ପୌରାଞ୍ଚଳ ଓ ମଙ୍ଗଳବାର ଲଖନପୁର ବ୍ଲକ୍‌ର ୧୯ଖଣ୍ଡ ମୌଜାରେ ପ୍ରଚାର କରିଥିଲେ। ପ୍ରାର୍ଥୀମାନେ ୧୯ଖଣ୍ଡ ମୌଜାର କଣ୍ଢେଇକେଲା, ରେମତା, ପିଥିଣ୍ଡା, କନକତୋରା, ବାଦିମାଲ ଆଦି ପଞ୍ଚାୟତର ବିଭିନ୍ନ ଗ୍ରାମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ କହି ନିଜ ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିଥିଲେ। ଏହି ପ୍ରଚାରରେ ଭାଜପା ପ୍ରାର୍ଥିନୀ ପଣ୍ଡାଙ୍କ ସହିତ ସଞ୍ଜୁଲତା ସେଠ୍‌, ଡା. ଗିରିଶ ରାଉତ, କୁନ୍ଦନ ସିଂହଦେଓ, ସୁକୁମାର ପୁରୋହିତ ପ୍ରମୁଖ ସାମିଲ ହୋଇଥିଲେ। ସେହିପରି ବିଜେଡି ପ୍ରାର୍ଥିନୀ ମହାନ୍ତିଙ୍କ ସହିତ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ସନ୍ଧ୍ୟା ଲାକ୍ରା, ଜୟ କୁମାରୀ ପଟେଲ, ରବିରତ୍ନ ପ୍ରଧାନ, ସଞ୍ଜିତ ପ୍ରଧାନ, ପ୍ରଦୀପ ବିଶ୍ୱାଳ, ସନତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।