ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା ଲାଗି ରହିଛି। ଆସନ୍ତା ବୁଧବାର କୋରାପୁଟ ଜିଲା ବିଜେଡି ତରଫରୁ ପଟାଙ୍ଗି ବିଧାୟକଙ୍କ ଗୁଣ୍ଡାଳିଆ ବ୍ୟବହାର ଓ ପ୍ରଶାସନିକ କଳକୁ ଅବାଟକୁ ନେଇ ବିକାଶ ମୂଳକ କାର୍ଯ୍ୟ କରୁନଥିବା ଅଭିଯୋଗ ଆଣି ରାଲି ସମାବେଶ କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିବ ବୋଲି ବିଜେଡି ତରଫରୁ ସୂଚନା ମିଳିଛି। ସୂଚନା ଥାଉ କି ଶନିବାର ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସାମୂହିକ ଇସ୍ତଫା ଧମକ, ବିଜେଡିର ବିଧାୟକଙ୍କୁ ଖୋଲା ଚିଠି, ସରପଞ୍ଚଙ୍କ ସ୍ବାମୀଙ୍କୁ ବିଧାୟକଙ୍କ ଧକ୍କା ମାରିବା ଘଟଣା ଚର୍ଚ୍ଚାର ବିଷୟ ଥିଲା। ରବିବାର ଅଭିଯୋଗ ପତ୍ରରେ ବିଧାୟକ ସରପଞ୍ଚ ସମିତି ସଭ୍ୟଙ୍କ ଦସ୍ତଖତ ନକଲି ଥିବା ଅଭିଯୋଗ କରିଥିଲେ। ସୋମବାର ଜିଲା ବିଜେଡି ତରଫରୁ ସରପଞ୍ଚ ସ୍ବାମୀ ତଥା ବିଜେଡି କର୍ମୀଙ୍କୁ ବିଧାୟକଙ୍କ ଧକ୍କା, ଅଶାଳୀନ ବ୍ୟବହାର ପ୍ରଦର୍ଶନ, ବ୍ଲକ ପ୍ରଶାସନକୁ ହାତ ବାରିସି କରି କଂଗ୍ରେସ କର୍ମୀଙ୍କୁ ଠିକାଦାର ସଜାଇବା, ବିକାଶ ମୂଳକ କାର୍ଯ୍ୟ ନକରିବା ପ୍ରତିବାଦରେ ରାଲି ସମାବେଶ କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କୁହାଯାଇଛି। ଏଥିରେଜିଲା ଓ ରାଜ୍ୟ ସ୍ତରୀୟ ବିଜେଡି କର୍ମକର୍ତ୍ତା, ହଜାର ସଂଖ୍ୟାରେ ବିଜେଡି କର୍ମୀ ଯୋଗଦେବେ। ଘେରାଉର ନେତୃତ୍ୱ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି ଓ ପ୍ରୀତମ ପାଢ଼ୀ ପ୍ରମୁଖ କରିବେ ବୋଲି ବ୍ଲକ ବିଜେଡି ସଭାପତି କାଶୀନାଥ ଗୋଲରୀ ସୂଚନା ଦେଇଛନ୍ତି।