ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…

ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର କରିବା ନେଇ ଧାମନଗର ଏନ୍‌ଏସି ବିଜେଡି ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ଧାମନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଧାମନଗର ଏନ୍‌ଏସି ଅଧୀନ ୧୯ଟି ବୁଥ୍‌ରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବୈଧ ଓ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦେବା ପାଇଁ କେତେକ ବ୍ୟକ୍ତି ସଂଘବଦ୍ଧ ଭାବେ ଷଡ଼ଯନ୍ତ୍ର କରୁଛନ୍ତି। ଏନେଇ ମିଥ୍ୟା ତଥ୍ୟ ଓ ଅଭିଯୋଗ ଦେଇ ଅନଲାଇନ ମାଧ୍ୟମରେ ଫର୍ମ-୭ ଦାଖଲ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଭାବେ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ ଦେବା ଉଦ୍ୟମ ହେଲେ ନାଗରିକଙ୍କ ମତଦାନ ଅଧିକାର ପ୍ରଭାବିତ ହୋଇପାରେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏଥିସହ ଏଭଳି ଘଟଣା ଅଞ୍ଚଳରେ ସାମ୍ପ୍ରଦାୟିକ ଅଶାନ୍ତି ସୃଷ୍ଟି କରିବାର ଆଶଙ୍କା ଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଉକ୍ତ ଘଟଣାକୁ ଗୁରୁତ୍ୱର ସହକାରେ ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରି ତୁରନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି। ଅଭିଯୋଗ ସମ୍ପର୍କିତ ତଥ୍ୟ ଓ ପ୍ରମାଣ ମଧ୍ୟ ଥାନାରେ ଦାଖଲ କରାଯାଇଥିବା ଦଳ ପକ୍ଷରୁ କୁହାଯାଇଛି।
ଅଭିଯୋଗପତ୍ରର ନକଲ ଭଦ୍ରକ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ, ଭଦ୍ରକ ଏସ୍‌ପି ଏବଂ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଥିବା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଅଭିଯୋଗର ସତ୍ୟତା ଓ ଫର୍ମ-୭ ଦାଖଲ ପଛରେ ପ୍ରକୃତରେ କାହାର ସମ୍ପୃକ୍ତି ରହିଛି, ସେନେଇ ପୋଲିସ ଓ ନିର୍ବାଚନ ବିଭାଗର ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ମଧ୍ୟ କୁହାଯାଇଛି।

Dharitri – Odisha’s No.1 Odia Daily

Share