ସୁଶାନ୍ତଙ୍କ ସୁରକ୍ଷା ବଢ଼ାଇବାକୁ ପୁଣି ଦାବି କଲା ବିଜେଡି

ଭୁବନେଶ୍ବର, ୨୯୧୧(ବ୍ୟୁରୋ): ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଶାସକ ଦଳ ପକ୍ଷରୁ ପୁଣି ଦାବି କରାଯାଇଛି। ବିଜେଡିର ଏକ ପ୍ରତିନିଧି ଦଳ ସୋମବାର ରାଜ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଭେଟି ଅଭିଯୋଗ କରିଛି ଯେ, ୨୦୧୮ ବିଜେପୁର ଉପନିର୍ବାଚନରେ ଭାଜପାର ଦୁଇ ଜଣ ସୁଶାନ୍ତ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏବେ ସେହି ଦୁଇ ଜଣ ଭାଜପା ନେତା ପଦ୍ମପୁର ଉପନିର୍ବାଚନରେ ଷ୍ଟାର କ୍ୟାମ୍ପେନର ପାଲଟିଛନ୍ତି। ସେମାନେ ଉକ୍ତ ଘଟଣାରେ ଜେଲରେ ଥିବାବେଳେ ଏବେ ବେଲ୍‌ରେ ଆସି ପଦ୍ମପୁରରେ ବୁଲୁଛନ୍ତି। ଗତ ନଭେମ୍ବର ୨୫ରେ ଏକ ପ୍ରତିନିଧି ଦଳ ଏହି ଘଟଣା ସମ୍ପର୍କରେ ଏକ ପିଟିଶନ ଦେବା ସହିତ ସୁଶାନ୍ତ ସିଂଙ୍କ ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରାଯାଇଥିଲା। ଏବେ ସୁଶାନ୍ତଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ନେଇ ସାମାଜିକ ଗଣମାଧ୍ୟମରେ ଧମକ ମିଳୁଛି। ସାମାଜିକ ଗଣମାଧ୍ୟମରେ ମିଳିଥିବା ଧମକ ସମ୍ପର୍କିତ ତଥ୍ୟ ପେନଡ୍ରାଇଭ ଜରିଆରେ ପ୍ରଦାନ କରାଯାଇଛି। ଅପରପକ୍ଷେ ଭାଜପା ନେତା ରିଙ୍କୁ ମେହେର ଏବଂ ଅନ୍ୟ କର୍ମୀଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଗଲା ନାହିଁ। ସେମାନେ ବିଜେଡି କର୍ମୀ ସଞ୍ଜୁ ବରିହାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗୁରୁତର ଭାବେ ମସ୍ତିଷ୍କରେ ଆଘାତ ଲାଗିବା ଯୋଗୁ ସଞ୍ଜୁ ଏବେ ଭିମ୍‌ସାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେଣୁ ସାମାଜିକ ଗଣମାଧ୍ୟମ ଜରିଆରେ ସୁଶାନ୍ତ ସିଂଙ୍କୁ ଯେଉଁ ନୂଆ ଧମକ ମିଳିଛି, ତାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଯାଉ। ଏହାସହ ଉକ୍ତ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବାକୁ ବିଜେଡି ପ୍ରତିନିଧି ଦଳ ସିଇଓଙ୍କୁ ଅନୁରୋଧ କରିଛନ୍ତି।