ପିପିଲି ଉପନିର୍ବାଚନ: ବିଶ୍ୱକେଶନ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ପିପିଲି ଉପନିର୍ବାଚନ ଲାଗି ଶେଷରେ କଂଗ୍ରେସ ଘୋଷଣା କରିଛି ପ୍ରାର୍ଥୀଙ୍କ ନାମ। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ନାମ ଉପରେ ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ମୋହର ମାରିଛି। ଡେଲାଙ୍ଗବାସିନ୍ଦା ବିଶ୍ୱକେଶନ ପୁରୀ ଜିଲା ସେବା ଦଳ ମୁଖ୍ୟ। ତାଙ୍କ ବାପା ଏବଂ ମା’ ସରପଞ୍ଚ ଥିଲେ। ତେଣୁ ଦଳ ଅଞ୍ଚଳରେ ଜଣେ ପୁରୁଣା କଂଗ୍ରେସ ପରିବାର ଓ ଯୁବ ନେତୃତ୍ୱ ଉପରେ ଭରସା କରି ତାଙ୍କୁ ଟିକେଟ ଦେଇଥିବା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି। ଦଳ ମୁଖ୍ୟତଃ ଅଜିତ ମଙ୍ଗରାଜଙ୍କ ପରିବାରରୁ ଜଣଙ୍କୁ ଟିକେଟ ଦେବାକୁ ସ୍ଥିର କରିଥିଲା। ହେଲେ ଅଜିତଙ୍କ ପରିବାରରୁ କେହି ରାଜି ହୋଇ ନ ଥିଲେ। ପରେ କଂଗ୍ରେସ ବିଶ୍ୱକେଶନଙ୍କୁ ପ୍ରାର୍ଥୀ କରିଛି।

ସୂଚନାଯୋଗ୍ୟ, ଏପ୍ରିଲ ୧୭ ତାରିଖରେ ପିପିଲି ଉପନିର୍ବାଚନ ହେବାର ଥିଲା। ହେଲେ ୧୪ ତାରିଖରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତଙ୍କ ଦେହାନ୍ତ ପରେ ନିର୍ବାଚନ କମିଶନ ସାନି ନିର୍ବାଚନ ତାରିଖ ଘୋଷଣା କରିଥିଲେ। ମେ ୧୩ ତାରିଖରେ ଭୋଟ ହେବା ଲାଗି ତାରିଖ ସ୍ଥିର ହୋଇଥିଲା। ହେଲେ ପୁଣି ନିର୍ବାଚନ କମିଶନ ମେ ୧୬ରେ ପିପିଲି ଉପନିର୍ବାଚନ ଲାଗି ତାରିଖ ସ୍ଥିର କରିଛନ୍ତି।