ଥାନା ଭିତରେ ଜନ୍ମ ଦିନ, ବିବାହ ବାର୍ଷିକୀ କେକ୍‌ କଟା, ଫଟୋ ଭାଇରାଲ୍‌

ଗୋପ,୨୮।୭(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ପରିସରରେ ଜନ୍ମ ଦିନ ଏବଂ ବିବାହ ବାର୍ଷିକୀ ଲାଗି କେକ କଟା ଘଟଣା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଜଣେ ମହିଳା ଇନ୍ସିପେକ୍ଟରଙ୍କ ସହିତ ଆଉ ଜଣେ ଇନି୍ସପେକ୍ଟର ଓ ୨ ଜଣ କନଷ୍ଟେବଲ ଏହି କେକ୍‌ କଟା ସମୟରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।

ଏଠାରେ ପ୍ରଶ୍ନ ଉଠେ, ରଥଯାତ୍ରା ଡ୍ୟୁଟିରେ ଥାଇ ୨ ପୋଲିସ ଅଧିକାରୀ ଓ ଥାନାର ୨ କନଷ୍ଟେବଲ ଜନ୍ମଦିନ ସହିତ ବିବାହ ବାର୍ଷିକୀ ଉତ୍ସବ ଥାନା ପରିସରରେ ପାଳନ କଲେ ତାହା ଏବେ ସମସ୍ତଙ୍କୁ ଚକିତ କରିଛି।

ପ୍ରକାଶ ଯେ, ଜଣେ ମହିଳା କନଷ୍ଟେବଲଙ୍କ ସ୍ବାମୀଙ୍କ ଜନ୍ମଦିନ ଓ ଜଣେ କନଷ୍ଟେବଲଙ୍କ ବିବାହ ବାର୍ଷିକୀ ଥିଲା। ଏଥିପାଇଁ ଥାନା ଭିତରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତି ଆରମ୍ଭ ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ପୋଡ଼ପିଠାଠାରୁ ଆରମ୍ଭ କରି ମିଠା ସହିତ କେକ୍‌ ରହିବା ପରେ ୨ କନଷ୍ଟେବଲଙ୍କ ସହିତ ତାଙ୍କ ସ୍ବାମୀ ସାମିଲ୍‌ ହୋଇ କେକ୍‌ କାଟିଥିଲେ। ଏହି କେକ କଟା ଥାନା ଅଧିକାରୀଙ୍କ ସମ୍ମୁଖରେ ହୋଇଥିବା ବେଳେ ସେଠାରେ ରଥଯାତ୍ରା ଡ୍ୟୁଟିରେ ଥିବା ଜଣେ ମହିଳା ଇନି୍ସପେକ୍ଟର ମଧ୍ୟ ଉପସ୍ଥିତ ଥିଲେ। ପରେ ଉଭୟଙ୍କ ମଧ୍ୟରେ କେକ ସହିତ ମିଠା ଖାଇ ଜନ୍ମଦିନ ଓ ବିବାହ ବାର୍ଷିକୀକୁ ଧୁମ୍‌ଧାମରେ ପାଳନ କରିଥିଲେ। ଏହା ଉପରେ ଏସ୍‌ପିଙ୍କ ସହିତ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।