ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ବ୍ରାହ୍ମଣୀଗାଁ ଅଞ୍ଚଳର
୮ ପଞ୍ଚାୟତ ଏବଂ ଗଜପତି ଜିଲାରେ ଆଦିବାସୀମାନେ ଏହି ସମାରୋହରେ ଯୋଗଦେଇଥିଲେ ।
ଜଳ, ଜମି, ଜଙ୍ଗଲ, ସଂସ୍କୃତି, ପରମ୍ପରା ଏବଂ ସୁରକ୍ଷାର କ୍ରାନ୍ତିବୀର ଜନନାୟକ ଭଗବାନ ର୍ବିସା ମୁଣ୍ଡାଙ୍କ ମା’ ବୁରାପେନୁ କୁଇ ସଂସ୍କୃତି ସୁରକ୍ଷା ପରିଷଦ(ଆଞ୍ଚଳିକ ଆଦିବାସୀ ସଂଗଠନ) ବ୍ରାହ୍ମଣୀଗାଁ ତରଫରୁ ର୍ବିସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରାଯାଇଛି। ପୂର୍ବାହ୍ନ ୧୧ଟାରେ ବାବା ମୁକ୍ତେଶ୍ୱର ମନ୍ଦିରରୁ ବିଭିନ୍ନ ଆଦିବାସୀ ସଂଗଠନର ସଦସ୍ୟମାନେ ଏକାଠି ହୋଇ ପାରମ୍ପରିକ ବାଦ୍ୟ, ନୃତ୍ୟ ସହ ଅସ୍ତ୍ରଶସ୍ତ୍ର ଧରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବ୍ରାହ୍ମଣୀଗାଁ ପରିକ୍ରମା କରି ମେଡ଼ିକାଲ ନିକଟସ୍ଥ ଶାଖା ପଡ଼ିଆରେ କୁଇ ପରମ୍ପରା ଅନୁଯାୟୀ କନ୍ଧ ପୂଜକ ଡାକାସା ମଳିକ ଏବଂ ଡମ୍ବ ମଳିକଙ୍କ ଦ୍ୱାରା ମା’ ବୁରାପେନୁ କୁଇ ସଂସ୍କୃତି ସୁରକ୍ଷା ପରିଷଦ ଆନୁକୁଲ୍ୟରେ ଭୂମି ପୂଜନ କରାଯାଇଥିଲା।
ଏହି ଅବସରରେ ମନ୍ଦିର ପଡ଼ିଆଠାରେ ଏକ ସଭାର ଆୟୋଜନ ହୋଇଥିଲା। ସଭାରେ ବିର୍ସା ମୁଣ୍ଡାଙ୍କ ଜୀବନୀ ସହ ବାର୍ତ୍ତାକୁ କିଭଳି ଲୋକଙ୍କ ପାଖରେ ପହଞ୍ଚା ଯାଇପାରିବ ସେନେଇ କୁହାଯାଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ପବିତ୍ର କହଁର ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା କବିରାଜ ମଳିକ, ଅତିଥି ଭାବେ ଦିବାକର ପ୍ରଧାନୀ, ଗୌରଚରଣ ପାଇକ, ଯୋଗେଶ ବେହେରା ମାଝୀ, ବ୍ରାହ୍ମଣୀଗାଁ ଭାଜପା ମଣ୍ଡଳ ସଭାପତି ଗଣେଶ ଡାକୁଆ, ଚିତ୍ରସେନ ପାତ୍ର, ନାରଦ ମଳିକ ଏବଂ ସଂଗଠନର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ସହଯୋଗ କରିଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।