ବିର୍ଜୁ କୁଲୁଙ୍କ ପତ୍ତା ମିଳୁନି

ସୁନ୍ଦରଗଡ଼,୪।୧(ଡି.ଏନ୍‌.ଏ.) ୨୦ ବର୍ଷ ପାକିସ୍ତାନ ଜେଲ୍‌ରେ ସଜା କାଟିବା ପରେ ଗତ ନଭେମ୍ବରରେ ଜନ୍ମମାଟିକୁ ଫେରିଥିବା ସୁନ୍ଦରଗଡ଼ ଜିଲା କୁତ୍ରା ଥାନା ଅନ୍ତର୍ଗତ ବିରଙ୍ଗାଟୋଲିର ବିର୍ଜୁ କୁଲୁ (୫୫) ଶନିବାର ରାତିରେ ନିଖୋଜ ହୋଇଯାଇଛନ୍ତି। ଏ ନେଇ ତାଙ୍କ ଭଉଣୀ ଟେଡ୍ରାସ କୁଲୁ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ପୋଲିସ ଏକ ମାମଲା ରୁଜୁ କରି ଗ୍ରାମବାସୀଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଆରମ୍ଭ କରିଥିଲେ ସୁଦ୍ଧା କୌଣସି ସୂଚନା ପାଇନାହିଁ। ପ୍ରକାଶ ଯେ, ବିର୍ଜୁଙ୍କୁ ଯେତେବେଳେ ୨୫ ବର୍ଷ ହୋଇଥିଲା, ସେ ଘରୁ ଚାଲିଯାଇ ରାଞ୍ଚିରେ ଏକ ହୋଟେଲରେ କାମ କରୁଥିଲେ। ସେଠାରେ ତାଙ୍କର ମାନସିକ ସ୍ଥିତି ବିଗିଡ଼ିଯିବାରୁ ସେ କୌଣସି ଠିକଣା ନ ପାଇ ପାକିସ୍ତାନ ଚାଲିଯାଇଥିଲେ। ସେଠାକାର ପୋଲିସ ତାଙ୍କୁ ଗିରଫ କରି ଜେଲ ପଠାଇଦେଇଥିଲା। ଜେଲ ଦଣ୍ଡ ସାରିବା ପରେ ତାଙ୍କୁ ଭାରତ ଫେରାଇବାକୁ ଦିଲ୍ଲୀ କମିଶନରଙ୍କ ସହ ଯୋଗାଯୋଗ କରାଯାଇଥିଲା। ପରେ ସୁନ୍ଦରଗଡ଼ ଜିଲାପାଳଙ୍କ ସହ ଯୋଗାଯୋଗ କରି ତାଙ୍କ ପ୍ରକୃତ ଠିକଣା ଠାବ କରାଯାଇଥିଲା। ଶେଷରେ ପ୍ରଶାସନର ସହାୟତାରେ ନଭେମ୍ବରରେ ବିର୍ଜୁ ନିଜ ଗ୍ରାମକୁ ଫେରି ତାଙ୍କ ଭଉଣୀ ଘରେ ରହୁଥିଲେ।