ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା

ସମ୍ବଲପୁର,୯ା୧(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରରେ ରବିବାର ଦିନିକିଆ ବିଦେଶୀ ପକ୍ଷୀ ଗଣନା ଶେଷ ହୋଇଛି। ଅନୁକୂଳ ପାଗ ଯୋଗୁ ବିଶେଷଜ୍ଞ ଟିମ୍‌କୁ ପକ୍ଷୀଗଣନା କରିବା ସହଜ ହୋଇଥିଲା। ଜାନୁୟାରୀ ୧୦ ତାରିଖରେ ପକ୍ଷୀଗଣନା ରିପୋର୍ଟ ପ୍ରକାଶ ପାଇବ। ବିଗତବର୍ଷ ଅପେକ୍ଷା ଚଳିତବର୍ଷ ହୀରାକୁଦ ଜଳଭଣ୍ଡାରକୁ ଅଧିକ ପକ୍ଷୀ ଆସିଥିବା ଆଶା କରାଯାଉଛି। ସମ୍ବଲପୁର ସମେତ ବରଗଡ ଓ ଝାରସୁଗୁଡା ଜିଲା ପଟରୁ ମଧ୍ୟ ପକ୍ଷୀ ଗଣନା ପାଇଁ ଟିମ୍‌ ଜଳଭଣ୍ଡାରକୁ ପ୍ରବେଶ କରିଥିଲେ। ସକାଳ ୬ଟାରେ ୩୫ଟି ଡଙ୍ଗାରେ ବନ ବିଭାଗ କର୍ମଚାରୀଙ୍କ ସହ ୬୦ ବିଶେଷଜ୍ଞ ଜଳଭଣ୍ଡାର ଭିତରକୁ ଯାଇ ପକ୍ଷୀଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ଏଥିପାଇଁ ୩୦ଟି ଟିମ୍‌ ଗଠନ କରାଯାଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତ ଟିମ୍‌ ଗଣନା ସାରି କୂଳକୁ ଫେରି ଆସିଥିବା ଜଣାପଡିଛି। ପକ୍ଷୀଗଣନା ପାଇଁ ୩ ଦିନ ପୂର୍ବରୁ ଜଳଭଣ୍ଡାରରେ ମାଛ ମାରିବା ଉପରେ ରୋକ୍‌ ଲଗାଯାଇଥିଲା। ପ୍ରତିବର୍ଷ ଭଳି ଚଳିତବର୍ଷ ଜଳଭଣ୍ଡାରକୁ ଡକ୍‌ ପ୍ରଜାତିର ରେଡ କ୍ରେଷ୍ଟେଟ ପୋଚାଡ, ଟୁଫେଡ ଡକ, ବ୍ରାମିନି ଡକ, ନରଦେନ ପିନଷ୍ଟେଲ, ୟୁରୋ ଏସିଆନ, ଏସିଆନ ୱିଗନ,ଏସିଆନ ଓପନବିଲ,ଗ୍ରେ ହୀରୋନ,ପରପଲ ହୀରୋଜେନ,କେଟେଲ ଗ୍ରେଡ, ଲିଟିଲ ଗ୍ରେଡ, ଇଣ୍ଟର ମିଡିଏଟ ରି-ଗ୍ରେଟ, ଇଣ୍ଡିଆନ ପଣ୍ଡ ହୀରେନ, ଇଣ୍ଡିଆନ ସେଗ, ଲିଟିଲ କରମୋରେଣ୍ଟ, ଗ୍ରେଟ କରମୋରେଣ୍ଟ, ଲିଟିଲ ଗ୍ରେଟ,ଗ୍ରେଟ କ୍ରେଷ୍ଟଟେଡ ଗ୍ରେଟ , କମନ କଟ,ପରପଲ ସ୍ବାନ, ରେଡ ୱେଟଲେଟ ଲେଫ ୱିନ, ରିଭର ଲେଫୱିନ, ଫ୍ଳୋଭର, ସେଣ୍ଟ ଫ୍ଳୋଭର,ସ୍ନିପ,ଷ୍ଟିୟୁଟ,ଗୁଲସ, କିଙ୍ଗଫ୍ରେସର, ରିଭର ଟ୍ରଣ୍ଟ, ବ୍ଲେକ ବେଲିଆଟ ଟ୍ରଫ୍ଟ ପ୍ରଭୃତି ଆସିଥିବା ଜଣାପଡିଛି।
ସୂଚନାଯୋଗ୍ୟ , ୨୦୨୨ ମସିହାରେ ୧୦୪ ପ୍ରଜାତିର ୨ ଲକ୍ଷ ୮ ହଜାର, ୨୦୨୧ ମସିହାରେ ୮୬ ପ୍ରଜାତିର ୧ ଲକ୍ଷ ୨୪ ହଜାର, ୨୦୨୦ ମସିହାରେ ୮୨ ପ୍ରଜାତିର ୧ ଲକ୍ଷ ୩୪ ହଜାର ପକ୍ଷୀ ଆସିଥିବା ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଜଣାଯାଇଛି। ସେହିପରି ୨୦୧୭ ବର୍ଷରେ ୫୭ ପ୍ରଜାତିର ୭୬ ହଜାର ୭୬୮, ୨୦୧୬ରେ ୬୦ ପ୍ରଜାତିର ୯୫ ହଜାର ୯୧୨, ୨୦୧୫ରେ ୬୪ ପ୍ରଜାତିର ୫୮ ହଜାର ୯୭, ୨୦୧୪ ରେ ୫୪ ପ୍ରଜାତିର ୬୩ ହଜାର ୮୯୨, ୨୦୧୩ ରେ ୬୦ ପ୍ରଜାତିର ୭୯ ହଜାର ୧୩୮ ବିଦେଶୀ ପକ୍ଷୀ ଆସିଥିବା ରିପୋର୍ଟ ରହିଛି ା ଶୀତ ଋତୁରେ ପ୍ରତିବର୍ଷ ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ।