Categories: ଜାତୀୟ

ବିପିନ ରାୱତଙ୍କ ଶେଷ ବାର୍ତ୍ତା ଭାଇରାଲ୍‌, ସମସ୍ତଙ୍କ ଆଖିରେ ଲୁହ

ନୂଆଦିଲ୍ଲୀ,୧୨।୧୨: ଦେଶର ପ୍ରଥମ ସିଡିଏସ୍‌ ବିପିନ ରାୱତ ହେଲିକପ୍ଟର ଦୁର୍ଘଟଣାରେ ପରଲୋକ ଘଟିଛି। ତେବେ ମୃତ୍ୟର ଦିନକ ପୂର୍ବରୁ ଅର୍ଥାତ୍‌ ୭ ତାରିଖରେ ‘ବିଜୟ ପର୍ବ’ ପାଇଁ ସେ ଆଗୁଆ ରେକର୍ଡ କରିଥିବା ବାର୍ତ୍ତା ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ବାର୍ତ୍ତାରେ ସିଡିଏସ ୧୯୭୧ ଯୁଦ୍ଧରେ ଭାରତୀୟ ସେନା ହାସଲ କରିଥିବା ବିଜୟକୁ ୫୦ ବର୍ଷ ପୂର୍ତ୍ତ ଅବସରରେ ସେ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ଏହି ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବିଜୟ ପର୍ବ ଉପଲକ୍ଷେ ୧୨ରୁ ୧୪ ଡିସେମ୍ବର ଯାଏ ଇଣ୍ଡିଆ ଗେଟ୍‌ରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏହା ଅତ୍ୟନ୍ତ ସୌଭାଗ୍ୟର ବିଷୟ ଯେ ଆମ ସାହସୀ ଶହୀଦମାନଙ୍କ ସ୍ମୃତିରେ ପ୍ରତିଷ୍ଠିତ ଅମର ଜୱାନ ଜ୍ୟୋତିର ନିଆଁର ଛାୟା ତଳେ ବିଜୟ ପର୍ବ ଆୟୋଜିତ ହେଉଛି। ଏହି ବିଜୟର ଉତ୍ସବରେ ଭାଗ ନେବାକୁ ଆମେ ସମସ୍ତ ଦେଶବାସୀଙ୍କୁ ଆମନ୍ତ୍ରଣ କରୁଛୁ। ଆମେ ଆମର ସୈନ୍ୟବାହିନୀ ପାଇଁ ଗର୍ବିତ, ଆସନ୍ତୁ ଏକାଠି ହୋଇ ବିଜୟର ପର୍ବ ପାଳନ କରିବା ବୋଲି ସିଡିଏସ କହିଛନ୍ତି।
ରାଜଧାନୀ ଦିଲ୍ଲୀରେ ଆଜି ସ୍ବର୍ଣ୍ଣିମ ବିଜୟ ପର୍ବ ପାଳନ କରାଯାଉଛି। ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉଦ୍‌ଘାଟନ କରିଥିଲେ। ଏହି ସମୟରେ ସେ ଦିବଙ୍ଗତ ଜେନେରାଲ ବିପିନ ରାୱତଙ୍କୁ ମନେ ପକାଇଥିଲେ। କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ସିଡିଏସ ବିପିନ ରାୱତଙ୍କ ଏହି ଶେଷ ଭିଡିଓ ବାର୍ତ୍ତାକୁ ପ୍ଲେ କରାଯାଇଥିଲା। ସିଡିଏସଙ୍କ ଏହି ଶେଷ ବାର୍ତ୍ତାକୁ ଶୁଣି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ଆଖି ଲୁହରେ ଭରିଯାଇଥିଲା।
ସୂଚନାଯୋଗ୍ୟ,ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତରେ ସିଡିଏସ୍‌ଙ୍କର ମୃତ୍ୟୁ ହୋଇଛି।

Share