Posted inଫୁରସତ

କବିତାର ଲକ୍ଷଭେଦୀ ଶାୟକ : ବିପିନ ନାୟକ

କବିତା ତାଙ୍କର ପ୍ରାଣ ସ୍ପନ୍ଦନ । ସ୍ପନ୍ଦିତ ଆବେଗରେ ଖଞ୍ଜି ହୋଇଥାଏ ଯେମିତି ଭାଷା, ଭାବ ଓ ଗୁଞ୍ଜରଣ । ତାଙ୍କ ଜୀବନଚର୍ଯ୍ୟାଠାରୁ ଆରମ୍ଭ କରି ସର୍ଜନ, ନିଃସରଣ ପର୍ଯ୍ୟନ୍ତ ସବୁଠି ଦିଶେ କବିତାର ଝଲକ । ଏମିତି ବି ସେ ଲେଖୁଥିବା ସାଧାରଣ ଗଦ୍ୟ ଧାଡିଟିରେ ଥାଏ କବିତାର ମାଦକତା । ସେ କବି ପୁଣି ଅର୍ଥନୀତି ପ୍ରାଧ୍ୟାପକ । ଲୋକେ କହନ୍ତି କବିତା ସହ ଅର୍ଥନୀତିର ପଡେ ନାହିଁ । ସେ କିନ୍ତୁ ଏକା ଘାଟକୁ ଆଣିପାରନ୍ତି ଉଭୟ କବିତାର କୋମଳତା ଓ ଅର୍ଥନୀତିର ବାସ୍ତବତା । ଅର୍ଥନୀତି ସ୍ନାତକରେ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ତଥା ଉଭୟ ଉତ୍କଳ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖି ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷା ସମାପନ ପରେ ଓଡିଶା ଶିକ୍ଷା ସେବା(ମହାବିଦ୍ୟାଳୟ ଶାଖା) ପାଇଁ ସେ ମନୋନୀତ ହୁଅନ୍ତି । ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଛାତ୍ର ବତ୍ସଳ ଅଧ୍ୟାପକ ଭାବେ କାର୍ଯ୍ୟ କଲା ପରେ ୨୦୦୮ ମସିହାରେ ଖଲ୍ଲିକୋଟ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ଅର୍ଥନୀତି ବିଭାଗର ମୁଖ୍ୟ ତଥା ଆସୋସିଏଟ ପ୍ରଫେସର ହିସାବରେ ୨୦୦୮ ମସିହାରେ ଅବସର ଗ୍ରହଣ କରନ୍ତି ।

ସେତିକି ନୁହେଁ, ଜି.ଆଇ.ଆଇ.ଟି. ବ୍ରହ୍ମପୁରର ଡିନ୍‌ ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଥିବା ମଣିଷ ଜଣକ ଆଉ କେହି ନୁହନ୍ତି ଓଡ଼ିଆ କବିତା ଜଗତର ଅନ୍ୟତମ ଧାରା ପ୍ରବର୍ତ୍ତକ ବିପିନ ନାୟକ ।ଇନ୍ଦ୍ରିୟବୋଧ ଓ ଜୀବନ ଜିଜ୍ଞାସାର ସମତଳରୁ ସେ ଗଢନ୍ତି କବିତା । ଜୀବନର ଅନୁପମ ସୌନ୍ଦର୍ଯ୍ୟରେ ତାଙ୍କ କାବ୍ୟ ନାୟକ ମୁଗ୍ଧ ହୁଏ । ଜୀବନର ଅର୍ଥ ଖୋଜିବାକୁ ପ୍ରଶ୍ନଆକୁଳ ବି ହୁଏ । କଳ୍ପନା ଓ ବାସ୍ତବର ଅପୂର୍ବ ସମନ୍ବୟ ତାଙ୍କ କବିତାକୁ କରେ ଶାଣିତ । ଗଭୀର ଓ ତୀକ୍ଷ୍ଣ ଅନ୍ତର୍ଦୃଷ୍ଟି ତାଙ୍କ କବିତାକୁ କରେ ପ୍ରଜ୍ଞା ମଣ୍ଡିତ ।

ଇନ୍ଦ୍ରିୟବୋଧ ତାଙ୍କ କବିତାକୁ କରେ ପ୍ରାଣବନ୍ତ । ଏ ଯାବତ ତାଙ୍କର ଆଠଟି କବିତା ଗ୍ରନ୍ଥ ପ୍ରକାଶିତ । ସେଗୁଡିକ ହେଲା – ପାଦ ଶବ୍ଦ, ନଈର ନକ୍ସା, ପବନର ଝୋଟି, ବନ୍ଦ ଘରର ବାସ୍ନା, ଆଲୁଅର ଆତ୍ମଲିପି, ସ୍ବର ଚିତ୍ର, ଅପୁସ୍ତକ ଓ ଷଡ଼ଜ। ଶେଷୋକ୍ତ ବହିଟି ତାଙ୍କର ଛ’ ଟି କବିତା ବହିର ଏକ ସଂଯୋଜିତ ରୂପ । ତାଙ୍କର କବିତାର ସ୍ବରୂପ ସମ୍ପର୍କରେ ଅନେକ ବିଦ୍ୱାନଙ୍କ ଦ୍ୱାରା ରଚିତ ପ୍ରବନ୍ଧଗୁଡିକର ଏକ ସମାହାର ବିପିନୀୟ କାବ୍ୟ ସମ୍ଭାର: ବିଦଗ୍ଧ ବିଚାର ନାମରେ ପ୍ରକାଶ ପାଇଛି। ଏହା ତାଙ୍କ କବିତାର ଗର୍ଭଗୃହକୁ ଏକ ପ୍ରବେଶ ପଥ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ବିଷୁବ ଝଙ୍କାର ପୁରସ୍କାର, ସାରଳା ସାହିତ୍ୟ ସଂସଦ ସମ୍ମାନ, ଚନ୍ଦ୍ରଭାଗା ସମ୍ମାନ, ବିରଜା ସମ୍ମାନ, ଚେତାବନୀ ସାହିତ୍ୟ ସଂସଦ ସମ୍ମାନ, ସଚିବାଳୟ ଲେଖକ ପରିଷଦ ସମ୍ମାନ, କଳିଙ୍ଗ ସାହିତ୍ୟ ସମାଜ ତରଫରୁ ସମ୍ମାନ, ଶ୍ୱେତପଦ୍ମା ସମ୍ମାନ, ଆଦର୍ଶ ପାଠାଗାର ସମ୍ମାନ , ଫଲ୍ଗୁ ସାହିତ୍ୟ ସମାଜ ତରଫରୁ ସମ୍ମାନ, ଫୁଲବାଣୀ ପୁସ୍ତକମେଳା ସମ୍ମାନ, ଚଲାପଥ ପୁରସ୍କାର ଭଳି ଅନେକ ମର୍ଯ୍ୟାଦାଜନକ ସମ୍ମାନ ହାସଲ କରିଥିବା ବିପିନ ନାୟକ ଗଳ୍ପଲିଖନରେ ମଧ୍ୟ ନିଜ କାରିଗରି ଦେଖେଇ ପାଠକଙ୍କ ଶ୍ରଦ୍ଧାଭାଜନ ହୋଇପାରିଛନ୍ତି । ତାଙ୍କର ଗଳ୍ପ କଥା, ପ୍ରତିବେଶୀ, ଶିଶିର, ନବରବି, ବିଶ୍ୱମୁକ୍ତି ଭଳି ପତ୍ରିକାରେ ପ୍ରକାଶ ପାଇ ପାଠକମାନଙ୍କ ପାଇଁ ଛାଡ଼ି ଦେଇଛି ବିପିନ ନାୟକୀୟ ଶୈଳୀ ସ୍ବାକ୍ଷର । ପ୍ରକାଶ ପାଇବାକୁ ଥିବା ପୁସ୍ତକ ‘ ବିବିଧ ବିପିନ ’ ତାଙ୍କ ଚମତ୍କାର ଗଳ୍ପ ଓ ଗଦ୍ୟଶୈଳୀର ଏକ ଉଜ୍ଜ୍ୱଳ ସ୍ବାକ୍ଷର । ନିଜକୁ ପ୍ରଚାର ଓ ପ୍ରସାରଠାରୁ ଦୂରରେ ରଖି ଆପଣା ଜୀବନ ଦର୍ଶନ ଓ ସାଧନାରେ ଜିଇବାକୁ ଚାହୁଁଥିବା ବିପିନ ନାୟକ ତାଙ୍କ ସ୍ବଭାବକୁ ଯଥାର୍ଥରେ ‘ଯିଶୁ’ କବିତାରେ ସୂଚେଇଛନ୍ତି ,
”ଛାତିକୁ ବିଦ୍ଧ କରୁଥିବା କଣ୍ଟାକୁ
କେମିତି ଫିଙ୍ଗିବି
ଯୁଆଡେ ଫିଙ୍ଗିଲେ ବି
କେହି ନା କେହି ତ
ରକ୍ତାକ୍ତ ହେବ ।“
ଭିଡ଼ ଭିତରୁ ବାରି ହୋଇପଡୁଥିବା ଶାନ୍ତ , ଗଭୀର ଓ ପ୍ରାଜ୍ଞ ବ୍ୟକ୍ତିତ୍ୱଧାରୀ ଏହି ମଣିଷ ଜଣଙ୍କୁ ଅସୁମାରୀ ଭଲପାଇବା ଓ ସମ୍ମାନରେ ନିଜ ହୃଦୟରେ ଧାରଣ କରିଥାନ୍ତି ତାଙ୍କ ପ୍ରିୟ ପ୍ରଶଂସକମାନେ। ତାଙ୍କର କବିତା ଏକ ଧନୁ ପରି ଯେଉଁଥିରୁ ର୍ନିଗତ ତୀର ସବୁବେଳେ ଲକ୍ଷ୍ୟଭେଦ କରିଥାଏ। ସର୍ଜନର ଲକ୍ଷ୍ୟଭେଦ ଶିକାରୀର ଲକ୍ଷ୍ୟ ଭେଦ ଠାରୁ ଭିନ୍ନ। ତାଙ୍କ କବିତା ଏହା ଚିହ୍ନାଇ ଦିଏ । ଜୀବନକୁ ଗ୍ରହଣ କରିବାକୁ ଶିଖାଏ । ତା’ର ସୁଷମାରେ ମୁଗ୍ଧ ହେବାକୁ ଅନୁପ୍ରେରିତ କରେ ।
-ମାନମୟୀ ରଥ, ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?