ବାୟୋମ୍ୟାଗ୍ନେଟିକ୍‌ ଜୁଏଲେରି: ଫ୍ୟାଶନ୍‌ ସହ ଫିଟ୍‌ନେସ୍‌

ଲାଟେଷ୍ଟ ଫ୍ୟାଶନ୍‌ ଟ୍ରେଣ୍ଡ ସହ ନିଜକୁ
ଅପ୍‌ଡେଟ୍‌ ରଖିବାରେ ବେଶ୍‌ ଆଗରେ ଯୁବପିଢ଼ି। ସବୁବେଳେ ସେମାନେ ଫ୍ୟାଶନ୍‌କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରିଥାନ୍ତି। ଠିକ୍‌ ଯେମିତି ବର୍ତ୍ତମାନ ଫ୍ୟାଶନ୍‌ ସହ ଫିଟ୍‌ନେସ୍‌କୁ ସାମିଲ୍‌ କରିବା ଆଳରେ ବିଭିନ୍ନ ବାୟୋମ୍ୟାଗ୍ନେଟିକ୍‌ ଜୁଏଲେରି ପ୍ରତି ସେମାନଙ୍କର ବଢୁଛି କ୍ରେଜ୍‌…

ଚିକିତ୍ସା ବିଜ୍ଞାନରେ ବିଭିନ୍ନ ଶାରୀରିକ ସମସ୍ୟା ବିଶେଷ କରି ମୁଣ୍ଡ, ଆଣ୍ଠୁ ଗଣ୍ଠି ଆଦି ବିନ୍ଧା, ମାଂସପେଶୀ ଫୁଲା, ଯନ୍ତ୍ରଣା ଭଳି ସମାଧାନ ଲାଗି ଚୁମ୍ବକ ବା ମ୍ୟାଗ୍ନେଟ୍‌ ବ୍ୟବହାର କରାଯାଇଥାଏ। ଏହାକୁ ଆଖି ଆଗରେ ରଖି ବର୍ତ୍ତମାନ ଜୁଏଲେରିରେ ଏହାକୁ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି, ଯାହାକୁ ବାୟୋ- ମ୍ୟାଗ୍ନେଟିକ ଜୁଏଲେରି ବୋଲି କୁହାଯାଉଛି।
ପ୍ରଥମେ ଏହି ବାୟୋ- ମ୍ୟାଗ୍ନେଟିକ ଜୁଏଲେରି କେବଳ ଚିକିତ୍ସା ଲାଗି ବ୍ୟବହାର ହେଉଥିବାରୁ ଏହାର ଲିମିଟେଡ୍‌ ଡିଜାଇନ୍‌ ହିଁ ମିଳୁଥିଲା ଏବଂ କେତେକ ନିର୍ଦ୍ଦିଷ୍ଟ କମ୍ପାନୀ ଏହାକୁ ପ୍ରସ୍ତୁତ କରୁଥିଲେ। ହେଲେ ବର୍ତ୍ତମାନ ସ୍ବାସ୍ଥ୍ୟ ସଚେତନ ଯୁବପିଢି ଏହାକୁ ଫ୍ୟାଶନ୍‌ ଜୁଏଲେରି ଭାବେ ଗ୍ରହଣ କରୁଛନ୍ତି। ତେଣୁ ସେମାନଙ୍କ ଏଥିପ୍ରତି ବଢୁଥିବା ଡିମାଣ୍ଡକୁ ଆଖି ଆଗରେ ରଖି ଅନେକ କମ୍ପାନୀ ମଧ୍ୟ ଏଭଳି ଜୁଏଲେରିର ଭଳିକି ଭଳି ଡିଜାଇନ୍‌ ପ୍ରସ୍ତୁତ କରୁଛନ୍ତି।
ଏଭଳି ଜୁଏଲେରି ଭିତରେ ପେଣ୍ଡେଣ୍ଟ, ବ୍ରେସ୍‌ଲେଟ୍‌, ନେକ୍‌ଲେସ୍‌ ଅଧିକ ଡିମାଣ୍ଡରେ ରହିଛି। ବିଶେଷ କରି ଗୋଲ୍ଡେନ୍‌, ବ୍ଲାକ୍‌ ବାୟୋ- ମ୍ୟାଗ୍ନେଟିକ୍‌ ଡିଜାଇନ୍‌ଗୁଡ଼ିକ ବେଶ୍‌ ଫ୍ୟାଶନେବଲ୍‌ ବି ଲାଗୁଛି।
ବିଭିନ୍ନ ଅନ୍‌ଲାଇନ୍‌ ଶପିଂ ସାଇଟ୍‌ରେ ମଧ୍ୟ ଏହା ଉପଲବ୍ଧ ହେଉଛି। ଅନ୍ୟ ଆର୍ଟିଫିସିଆଲ୍‌ ଜୁଏଲେରି ଭଳି ଏଥିରେ କୌଣସି ଆଲର୍ଜି ସମସ୍ୟା ଦେଖା ଦେଉ ନ ଥିବା ବେଳେ ଏହାର ଦାମ୍‌ ମଧ୍ୟ ସୁହାଇଲା ଭଳି ହୋଇଥିବାରୁ ଫ୍ୟାଶନ୍‌ ସହ ଫିଟ୍‌ନେସ୍‌ ଲାଗି ଅନେକେ ଏହାକୁ ବ୍ୟବହାର କରିବାକୁ ଆଗ୍ରହୀ ହେଉଛନ୍ତି।