ରଙ୍ଗ ତୂଳୀରେ ଜୀବନ୍ୟାସ

ଧାମନଗର, ୨୦।୫(ସ୍ବ.ପ୍ର.) ରଙ୍ଗତୁଳୀ, ମାଟି, ଚକ୍‌ ଖଡ଼ିରେ ଚିତ୍ର ଆଙ୍କିବାରେ ସେ ସିଦ୍ଧହସ୍ତ। ତାଙ୍କ ସ୍ପର୍ଶରେ କଳାକୃତି ହୋଇଉଠୁଛି ଜୀବନ୍ତ। ଏଭଳି କଳାକୃତି ପାଇଁ ବିଦେଶରେ ମଧ୍ୟ ସେ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଏପରି ଜଣେ ଅନନ୍ୟ ଶିଳ୍ପୀ ହେଉଛନ୍ତି ଭଦ୍ରକ ଜିଲା ଧାମନଗର ବ୍ଲକ ସରେଇ ଚୂଡ଼ାକୁଟି ପଞ୍ଚାୟତର ସୋରିଷଡିହୀ ଗ୍ରାମର ରତ୍ନାକର ସାମଲଙ୍କ ପୁଅ ଗୋପାଳ(୩୮)।
ଜେଜେ ନିଧି ସାମଲଙ୍କ ପାଖରୁ ପିଲାଟି ଦିନରୁ ମୂର୍ତ୍ତି ନିର୍ମାଣ ଶିକ୍ଷା କରିବା ପରେ ମଧ୍ୟପ୍ରଦେଶର ଜବଲପୁରରେ ଦିଦି ଜ୍ଞାନେଶ୍ୱରୀ ବ୍ରହ୍ମଋଷି ଆଶ୍ରମରେ ୪ ବର୍ଷ କାରୁକାର୍ଯ୍ୟରେ ଲିପ୍ତ ରହି ଗାଁକୁ ଫେରିଥିଲେ। କୋଭିଡ୍‌ ସମୟରେ ମୂର୍ତ୍ତି ଗଢ଼ି ନିଜେ ରୋଜଗାର କରିବା ସହିତ କେତେଜଣ ଯୁବକଙ୍କୁ ରୋଜଗାର ପାଇଁ ତାଲିମ ଦେଇଥିଲେ। ପଞ୍ଜାବ, ଗୁଜୁରାଟ, ହରିୟାନା, ଉତ୍ତରାଖଣ୍ଡ, ୟୁପି ଆଦି ରାଜ୍ୟ ସମେତ ବିଦେଶରେ ତାଙ୍କର ମୂର୍ତ୍ତି ଲୋକପ୍ରିୟତା ଅର୍ଜନ କରିଛି। ଆମେରିକାରେ ଥିବା ହିନ୍ଦୀ ୟୁଏସ୍‌ଏ ଟ୍ରଷ୍ଟକୁ ୧୪ ଇଞ୍ଚ ଉଚ୍ଚତା ବିଶିଷ୍ଟ ୪ ଶହଟି ଭାରତମାତାଙ୍କ ଫାଇବର ମୂର୍ତ୍ତି ନିର୍ମାଣ କରି ଜୁଲାଇ ୨୦୨୨ରେ ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି କାନାଡା, ଇଂଲଣ୍ଡ, ନେଦରଲ୍ୟାଣ୍ଡ ଓ ସୁରିମନ ଆଦି ଦେଶକୁ ନିଜ ହାତ ତିଆରି ଫାଇବର, ଚକ୍‌ ଓ ସିମେଣ୍ଟ ମାଧ୍ୟମରେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ପଠାଇଛନ୍ତି। ଋଷ ଓ ୟୁକ୍ରେନରେ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ରୋକିବାକୁ ବାଲୁକା ଚିତ୍ରରେ ମଧ୍ୟ ସଚେତନତାର ବାର୍ତ୍ତା ଦେଇଥିଲେ। ଚାଟଶାଳୀ ଶିକ୍ଷକ ନନ୍ଦସାର, ସିନେତାରକା ମିହିର ଦାସ, କଣ୍ଠଶିଳ୍ପୀ ଲତା ମଙ୍ଗେସକର, ସ୍ବାମୀ ବିବେକାନନ୍ଦ ଓ ସୁବାଷ ବୋଷଙ୍କର ଚକ୍‌ ଖଡ଼ିରେ ନିର୍ମିତ ମୂର୍ତ୍ତି ବେଶ୍‌ ଲୋକାଦୃତ ହୋଇପାରିଛି। ରଙ୍ଗ ତୂଳୀରେ ନିଖୁଣ କାରିଗରୀ ଆଗାମୀ ଦିନରେ ଅନେକ ଯୁବପିଢ଼ିଙ୍କୁ କଳାକୃତି ପ୍ରତି ଆକୃଷ୍ଟ କରିବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି କଳାକୁ ବିକାଶ କରିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା କରିଲେ ସେ ଆଗକୁ ବଢ଼ିପାରନ୍ତେ ବୋଲି କହିଛନ୍ତି।