‘ସ୍ବସ୍ତିକ’କୁ ଅବୈଧ କରିବା ଲାଗି ଆମେରିକାରେ ବିଲ୍‌

ଓ୍ବାଶିଂଟନ, ୧୨।୪: ମାଙ୍ଗଳିକ ଓ ଆଧ୍ୟାତ୍ମିକତାର ପ୍ରତୀକ ସ୍ବସ୍ତିକକୁ ବେଆଇନ କରିବା ଲାଗି ଆମେରିକାର ମେରିଲାଣ୍ଡ ପ୍ରତିନିଧି ସଭା ଏକ ବିଲ୍‌ ଗୃହୀତ କରିବାକୁ ଉଦ୍ୟମ ଚଳାଇଥିତ୍ବାବେଳେ ଏହା ବିରୋଧରେ ସେଠାର ହିନ୍ଦୁ ସଂଗଠନ ‘ହିନ୍ଦୁ ଆମେରିକାନ୍‌ ଫାଉଣ୍ଡେଶନ’ (ଏଚ୍‌ଏଏଫ୍‌) ଅଣ୍ଟା ଭିଡ଼ିଛି। ସେମାନେ ଆମେରିକୀୟମାନଙ୍କୁ ସ୍ବସ୍ତିକ ଚିହ୍ନର ମହତ୍ତ୍ୱ ସମ୍ପର୍କରେ ବୁଝାଇବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଠିକ୍‌ ଭାବେ ଲେଖାଯାଇ ନ ଥିବା ଉକ୍ତ ବିଲ୍‌ ହିନ୍ଦୁମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଉକ୍ତ ସଂଗଠନ ଯୁକ୍ତି ବାଢ଼ିଛି। ଏହା ଦ୍ୱାରା ହିନ୍ଦୁ ପରିବାର ଓ ଧର୍ମସ୍ଥାନଗୁଡ଼ିକ ଟାର୍ଗେଟର ସମ୍ମୁଖୀନ ହୋଇପାରେ ବୋଲି ଏଚ୍‌ଏଏଫ୍‌ କହିଛି। ସ୍ବସ୍ତିକ ଘୃଣାର ପ୍ରତୀକ ବୋଲି ଉକ୍ତ ବିଲ୍‌ରେ ଭୁଲ୍‌ ସଂଜ୍ଞା ଦିଆଯାଇ ସ୍କୁଲ୍‌, ପୋଷାକ, ବହି, ବ୍ୟାଗ୍‌ ଇତ୍ୟାଦିରେ ଏହାର ପ୍ରଦର୍ଶନ ନିଷେଧ କରିବାକୁ କୁହାଯାଇଛି।
ପୂର୍ବରୁ ନ୍ୟୁୟର୍କ ଅନୁରୂପ ବିଲ୍‌ ଆଣିଥିଲା। ଏହାକୁ ରୋକିବାରେ ଏଚ୍‌ଏଏଫ୍‌ ସଫଳ ହୋଇଥିଲା। ସ୍ବସ୍ତିକ ହିନ୍ଦୁ, ଶିଖ୍‌, ଜୈନ ଓ ବୌଦ୍ଧ ଧର୍ମର ପ୍ରତୀକ ଭାବେ ବ୍ୟବହୃତ ହୋଇଥାଏ ବୋଲି ଏଚ୍‌ଏଏଫ୍‌ ଆଇନ ପ୍ରଣେତାମାନଙ୍କୁ ବୁଝାଇ ଦେଇଥିଲା। ଏବେ ଅନ୍ୟ ରାଜ୍ୟରେ ସ୍ବସ୍ତିକକୁ ନିଷେଧ କରିବା ଲାଗି ବିଲ୍‌ ଆସୁଛି, ଯେଉଁଥିରେ ଉକ୍ତ ଚିହ୍ନକୁ ଘୃଣା ଓ ଅପରାଧର ପ୍ରତୀକ ଭାବେ ଦର୍ଶାଯାଉଥିବା ହିନ୍ଦୁ ସଂଗଠନ କହିଛି।

Share