Categories: ଖେଳ

୧୫ ବର୍ଷ ଧରି ରାସ୍ତାକଡ଼ରେ ପଡ଼ିରହିଥିଲେ ଏହି ଅନ୍ତରାଷ୍ଟ୍ରୀୟ କ୍ରିକେଟର; ଶେଷସମୟ ଥିଲା ଯନ୍ତ୍ରଣାଦାୟକ

ନୂଆଦିଲ୍ଲୀ,୨୨।୧: ଆଜିର ସମୟରେ ଜଣେ ଖେଳାଳି କ୍ରିକେଟରେ ବହୁତ ଟଙ୍କା ରୋଜଗାର କରିପାରିବେ। ଯଦି ଖେଳାଳି ଅନ୍ତର୍ଜାତୀୟସ୍ତରରେ ସଫଳ ହୁଅନ୍ତି ତେବେ ଟଙ୍କାର ଅଭାବ ରହି ନ ଥାଏ। ଦେଶ ପାଇଁ ଖେଳିବାର ମଉକା ନ ମିଳିଲେ ହେଁ ଆଇପିଏଲ୍‌ ଭଳି ଅନେକ କ୍ରିକେଟ୍‌ ଲିଗ୍‌ରେ ଖେଳି ନିଜକୁ ପ୍ରମାଣିତ କରିପାରୁଛନ୍ତି ଖେଳାଳି। କିନ୍ତୁ ଏକ ସମୟରେ ଏଭଳି ସ୍ଥିତି ନ ଥିଲା। ଫଳରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ସତ୍ତ୍ୱେ ଜଣେ ଖେଳାଳିଙ୍କ ଶେଷ ଜୀବନ ଅତ୍ୟନ୍ତ ଖରାପ ଥିଲା। ଏଠାରେ ଆମେ ଇଂଲଣ୍ଡର ପୂର୍ବତନ କ୍ରିକେଟର ବିଲ୍‌ ବ୍ରୋକଓ୍ବେଲ୍‌ଙ୍କ ବିଷୟରେ କହୁଛୁ।

୧୮୬୫ ଜାନୁୟାରୀ ୨୧ରେ ଇଂଲଣ୍ଡରେ ଜନ୍ମିତ ବିଲ ଦ୍ରୁତ ବୋଲର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଜଣେ ଭଲ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଥିଲେ। ୧୮୯୭ପରେ ସେ କ୍ରିକେଟ ଖେଳି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ଘରୋଇ କ୍ରିକେଟରେ ଏକ ସିଜନ୍‌ରେ ସର୍ବାଧିକ ରନ୍‌ କରିଥିବା ଖେଳାଳି ପାଲଟିଥିଲେ ସେ। ଏଥିରେ  ସେ ୧୪୯୧ ରନ୍‌ କରିଥିଲେ। ସେଥିରେ ୫ ଶତକ ଥିଲା। ଏହାଛଡ଼ା ଉଇକେଟ ମଧ୍ୟ ନେଇଥିବାରୁ ଉକ୍ତ ବର୍ଷ ତାଙ୍କୁ ‘ଓ୍ବିସ୍‌ଡେନ୍‌ କ୍ରିକେଟର ଅଫ୍‌ ଦ ଇଅର’ ଭାବେ ନିର୍ବାଚିତ କରାଯାଇଥିଲା। ଇଂଲଣ୍ଡ ପାଇଁ ସେ ୭ ଟେଷ୍ଟ ମ୍ୟାଚ୍‌ ଖେଳି ୨୦୨ ରନ୍‌ ଓ ୫ ଉଇକେଟ ନେଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ୧୩୨୮୫ ରନ୍‌ ସ୍କୋର କରିବା ସହ ୫୫୩ଟି ଉଇକେଟ ମଧ୍ୟ ସେ ନେଇଥିଲେ।

ଉଲ୍ଲେଖନୀୟ କ୍ରିକେଟ କ୍ୟାରିୟର ସତ୍ତ୍ୱେ ବିଲ୍‌ଙ୍କ ଶେଷଜୀବନ ଯନ୍ତ୍ରଣାଦାୟକ ଥିଲା। ଜୀବନର ଅନ୍ତିମ ୧୫ ବର୍ଷ ଦାରିଦ୍ରରେ ବିତାଇଥିଲେ। ତାଙ୍କ ପାଖରେ ରହିବା ପାଇଁ ଘର ଖଣ୍ଡିଏ ନ ଥିଲା। ଏଣୁ ସେ ରାସ୍ତାରେ ଦିନ କାଟୁଥିଲେ। ୧୯୩୫ ଜୁଲାଇ ୧ରେ ୭୦ ବର୍ଷ ବୟସରେ ତାଙ୍କର ନିଧନ ହୋଇଥିଲା।

Share