Categories: ଜାତୀୟ

ବିଲ୍‌କିସ୍‌ ମାମଲା: ସତ୍ୟପାଠ ଉପରେ ଜବାବ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲ୍‌କିସ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାରେ ୧୧ ଦୋଷୀଙ୍କୁ କ୍ଷମା ପ୍ରଦାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ ଉପରେ ଗୁଜରାଟ ସରକାର ବିସ୍ତୃତ ଜବାବ ଦେଇଥିବା ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି। ଏଥିରେ ଅନେକ ରାୟକୁ ଉପସ୍ଥାପନ କରାଯାଇଥିବାବେଳେ ତଥ୍ୟାତ୍ମକ ବିବୃତିଗୁଡ଼ିକୁ ଏଡ଼ାଇ ଦିଆଯାଇଛି। ଗୁଜରାଟ ସରକାରଙ୍କ ସତ୍ୟପାଠ ଉପରେ ଆବେଦନକାରୀ ଜବାବ ଦାଖଲ କରିବା ଲାଗି ସର୍ବୋଚ୍ଚ ଅଦାଲତ ସମୟ ଦେବା ସହ ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୯କୁ ଧାର୍ଯ୍ୟ କରିଛନ୍ତି। ଗୁଜରାଟ ସରକାର ଦାଖଲ କରିଥିବା ଜବାବକୁ ସବୁ ପକ୍ଷଙ୍କୁ ଉପଲବ୍ଧ କରାଇବା ନିମନ୍ତେ ଜଷ୍ଟିସ ଅଜୟ ରାସ୍ତୋଗୀ ଏବଂ ସି.ଟି. ରବିକୁମାରଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଗତ ସ୍ବାଧୀନତା ଦିବସ ଅବସରରେ ବିଲ୍‌କିସ୍‌ ବାନୋ ଗଣହତ୍ୟା ମାମଲାର ୧୧ ଅପରାଧୀଙ୍କୁ ମୁକ୍ତ କରାଯାଇଥିଲା। ସରକାରଙ୍କ କ୍ଷମା ନୀତିକୁ ବରିଷ୍ଠ ସିପିଆଇ(ଏମ୍‌) ନେତ୍ରୀ ସୁଭାଷିନୀ ଅଲି ଏବଂ ଅନ୍ୟ ଦୁଇ ମହିଳା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

Share