ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

କୋଲାବିରା,୧୧।୬(ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥ ରଘୁନାଥପାଲି ଛକରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଲଇଡ଼ା ରାଖିବାହାଲ ଗ୍ରାମର ରାଜେଶ ଲୁହା(୩୦)। ଦୁର୍ଘଟଣାରେ ବାଇକ୍‌ରେ ଥିବା ଅନ୍ୟଜଣେ ଲଇଡା ଦେହେରିପାଲିର ଜଗତରାମ ଭଞ୍ଜ(୩୦) ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ମୁତାବକ, ଜଗତରାମ ଏବଂ ରାଜେଶ ଏକ ବାଇକ୍‌ (ନଂ.ଓଡି୧୫ଭି ୦୫୬୦)ରେ ଝାରସୁଗୁଡା ଯାଉଥିଲେ। ରଘୁନାଥପାଲି ଛକରେ ଏକ କାରକୁ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ଟି ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକର ପଛପଟେ ପିଟି ହୋଇଯାଇଥିଲା। ଫଳରେ ଦୁହେଁ ଛିଟିକି ରାସ୍ତା ଉପରେ ପଡିଥିଲେ। ଏପରିକି ବାଇକ୍‌ ଭାଙ୍ଗି ଚୁର୍‌ମାର୍‌ ହୋଇଯାଇଥିଲା।

ଖବର ପାଇ କୋଲାବିରା ଥାନା ପୋଲିସ ଉଭୟଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରିଥିଲେ। ଜଗତରାମ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁର୍ଘଟଣା ପରେ ରଘୁନାଥପାଲି ସରପଞ୍ଚ ରଞ୍ଜନ ସରାଫଙ୍କ ନେତୃତ୍ୱରେ ସ୍ଥାନୀୟ ଲୋକେ ଅଞ୍ଚଳରେ ନିୟମିତ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ଘଟଣାସ୍ଥଳରେ ରାସ୍ତାରୋକୋ କରିଥିଲେ। ପରେ କୋଲାବିରା ଥାନାର ଉପନିରୀକ୍ଷକ ପ୍ରକାଶ ଚନ୍ଦ୍ର ଦଲାଇ, ସନ୍ତୋଷ କୁମାର ପ୍ରଧାନ, କୋଲାବିରା ତହସିଲଦାର ସୁକାନ୍ତ କୁମାର ନାଏକ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଛକର ସୁରକ୍ଷା ସମ୍ବନ୍ଧୀୟ ପ୍ରତିଶ୍ରୁତି ପରେ ଯାତାୟାତ ସ୍ବାଭାବିକ ହୋଇଥିଲା।

ସୂଚନା ଯୋଗ୍ୟ, ଗତ ୩୦ ତାରିଖରେ ଏକ ବୋଲେରୋ ଧକ୍କାରେ ବ୍ୟବସାୟୀ ଜୟରାମ ପଧାନଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଛକରେ ଅନେକ ଦୋକାନ ବଜାର ରହିଛି। ଏନେଇ ପ୍ରାୟ ସମୟ ଗହଳି ଲାଗି ରହୁଛି। ସେହି ତୁଳନାରେ ଛକରେ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ପ୍ରାୟ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।