ଦିଗପହଣ୍ଡି, ୨୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ମୂଖ୍ୟ ରାସ୍ତାର କୃଷି ବିଭାଗ କାର୍ଯ୍ୟାଳୟ ନିକଟରେ ଜଣେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଯୁବକଙ୍କୁ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଚିକିଟି ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ପାନାଗୁଡା ଗ୍ରାମର ରାଜୁ ବୀର। ସେ ଏକ ହିରୋ ସ୍ପ୍ଲେଣ୍ଡର ବାଇକ ନଂ. (ଓଡି୨୦ ବି ୫୫୬୬) ଯୋଗେ ମୋହନା ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ସୂଚନା ପାଇ ଚିକିଟି ରେଞ୍ଜ ଅବକାରୀ ଇନ୍ସପେକ୍ଟରଙ୍କ ଉପସ୍ଥିତିରେ ଅବକାରୀ ଏଏସ୍ଆଇ ଏନ୍. ତ୍ରିପତି, କନେଷ୍ଟବଳ ପ୍ରଫୁଲ୍ଲ କୁମାର ବେହେରା, ବଳରାମ ପାତ୍ର, ରାଜେଶ ଜେନା, ସେକ ରାଜେଶ ଉଦ୍ଦିନ, ପୃଥୱୀରାଜ ସ୍ବାଇଁ , ଆଲଫଲତା ସାହୁ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ବାଇକରୁ ୨୪ କେଜି ଗଞ୍ଜେଇ ବାହାରିବା ପରେ ବାଇକ ଏବଂ ଗଞ୍ଜେଇ ସହ ଏକ ମୋବାଇଲ ଫୋନକୁ ମଧ୍ୟ ଜବତ କରାଯାଇଥିଲା । ପରେ ଅଭିଯୁକ୍ତକୁ ଗିରଫ କରାଯାଇ ଅବକାରୀ ମାମଲା ନଂ.୬୬/୨୫-୨୬ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ଜିଲା ଜଜ କୋର୍ଟକୁ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି। ଚଢ଼ାଉ ସମୟରେ ଏଏସ୍ଆଇ ଏନ୍. ତ୍ରିପତି, କର୍ମଚାରୀ ପ୍ରଫୁଲ୍ଲ କୁମାର ବେହେରା, ବଳରାମ ପାତ୍ର, ରାଜେଶ ଜେନା, ସେକ୍ ରାଜେଶ ଉଦ୍ଦିଷ୍ଟ, ପୃଥ୍ବୀରାଜ ସ୍ବାଇଁ ପ୍ରମୁଖ ସାମିଲ ଥିଲେ।

