ବାଇକ୍‌ ଚୋରି କରି ବିକୁଥିଲେ ଗ୍ୟାରେଜ୍‌ରେ

ଭଞ୍ଜନଗର/ବୁଗୁଡ଼ା,୧୫।୧୧(ଡି.ଏନ.ଏ): ଭଞ୍ଜନଗର ଉପଖଣ୍ଡ ଅଧୀନ ଭଞ୍ଜନଗର, ବେଲଗୁଣ୍ଠା ଏବଂ ବୁଗୁଡ଼ା ପୋଲିସକୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ସୋମବାର ଏକ ଆନ୍ତଃ ଜିଲା ବାଇକ୍‌ ଲୁଟେରା ଦଳକୁ କାବୁ କରିଛି । ପୋଲିସ ଏହି ର଼୍ୟାକେଟର ୭ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୭ଟି ବାଇକ୍‌ ଓ ୨ଟି ସ୍କୁଟି ଜବତ କରାଯାଇଛି । ଏହି ଘଟଣାରେ ଆହୁରି ଅନେକ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି। ଗିରଫ ଅଭିଯୁକ୍ତମାନେ ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ା ଜିଲାର ବିଭିନ୍ନ ଥାନା ଅଞ୍ଚଳର ଏକାଧିକ ମାମଲାରେ ଜଡ଼ିତ ରହିଛନ୍ତି। ଭଞ୍ଜନଗର ଥାନାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଏଏସ୍‌ପି ବି.କେ.ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ଗତ ୩ ତାରିଖରେ ତନରଡ଼ାର ସନିଆ ମଲ୍ଲିକଙ୍କ ବାଇକ୍‌ ବେଲଗୁଣ୍ଠା ରୋଡ଼ ଝାଙ୍କେରେଇ ମନ୍ଦିର ନିକଟରୁ ଚୋରି ହୋଇଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଆଧାର କରି ୨ ଅଭିଯୁକ୍ତ ବିଷ୍ଣୁଚକ୍ର ଅଜିତ ପଟ୍ଟନାୟକ ଓ ଭଞ୍ଜନଗର ପିଣ୍ଟୁ ମହାନ୍ତିଙ୍କୁ ଚିହ୍ନଟ କରିଥିଲା। ଅଭିଯୁକ୍ତମାନେ ଯେଉଁ ଗ୍ୟାରେଜ୍‌ରେ ଗାଡ଼ି ବିକ୍ରି କରିଥିଲେ ସେଠାର ଠିକଣା ପୋଲିସକୁ ଦେଇଥିଲେ। ପରେ ବିଭିନ୍ନ ଗ୍ୟାରେଜରୁ ୧୩ଟି ଗାଡ଼ି ଓ ଅଭିଯୁକ୍ତମାନଙ୍କ ପାଖରୁ ଅନ୍ୟ ୬ଟି ଗାଡ଼ି ଜବତ କରାଯାଇଥିଲା। ଅଭିଯୁକ୍ତମାନଙ୍କ ଠାରୁ ଗାଡ଼ି କିଣିଥିବା ଅଭିଯୋଗରେ ପୋଲିସ ଚିରିକିପଡ଼ାର ବିଭୂତି ଚରଣ ପଟ୍ଟନାୟକ, ଗୋଲିଆର ମନୋଜ ପ୍ରଧାନ, ପ୍ରଶାନ୍ତ ବାଡ଼ତ୍ୟା, କୁଶପଲ୍ଲୀର ସନ୍ତୋଷ ଗୌଡ଼ ଓ ବେଣାକୁନ୍ଦାର ବାପି ବିଷୋୟୀଙ୍କୁ ଗିରଫ କରାଯାଇଥିବା ଏଏସ୍‌ପି ମଲ୍ଲିକ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଂଶୁ ମିଶ୍ର, ଥାନା ଅଧିକାରୀ ସୁଦିପ୍ତ ସାହୁ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ଏବଂ ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।