ଧରା ପଡ଼ି ଛେଚା ଖାଇଲେ ବାଇକ୍‌ ଚୋର

ବେତନଟୀ,୫।୧୦(ସ୍ବ.ପ୍ର.): ଧରାପଡି ନିର୍ଧୂମ ଛେଚା ଖାଇଲେ ବାଇକ ଚୋର। ବୈଶିଙ୍ଗା ଥାନା ଅଧୀନ ଦାହିବାଡି ସାପ୍ତାହିକ ହାଟରୁ ବାଇକ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ୨ ଜଣ ଦୁର୍ବୁତ୍ତଙ୍କ ମଧ୍ୟରୁ ଜଣେ ଛେଚା ଖାଇଛନ୍ତି। ତାଙ୍କୁ ଉପସ୍ଥିତ ଥିବା ବେପାରୀ ଓ ସାଧାରଣ ଲୋକେ ଧରି ମାଡ଼ ମାରିଛନ୍ତି।

ସୂଚନା ଅନୁଯାୟୀ, ବୁଧବାର ଦାହିବାଡ଼ି ହାଟ ପରିସରରେ ଜଣେ ଯୁବକ ବାଇକ ଦୀର୍ଘ ସମୟ ଧରି ଗୋଟିଏ ଓଡି୧୧ୟୁ-୧୬୮୧ ନଂ ବିଶିଷ୍ଟ ହିରୋ ଗ୍ଲାମର ବାଇକ ନିକଟରେ ଛିଡା ହୋଇ ରହିବା ଓ ଏକ ମାଷ୍ଟର ଚାବିରେ ବାଇକର ଚାବି ଖୋଲି ଚୋରାଇ ନେବାକୁ ଉଦ୍ୟତ ହେଉଥିବାବେଳ ଏହି ଦୃଶ୍ୟକୁ ପୂର୍ବରୁ ଦେଖୁଥିବା ସ୍ଥାନୀୟ ପରିବା ବେପାରୀ ଓ ବାଇକର ମାଲିକ ସେଠାରେ ହଠାତ୍‌ ପହଞ୍ଚି ଯାଇଥିଲେ। ବାଇକ ଲୁଟ ହେଉଥିବା ଜାଣିପାରି ସେମାନେ ପାଟି କରିବା ପରେ ହାଟରେ ଥିବା ଲୋକେ ରୁଣ୍ଡ ହୋଇଯାଇଥିଲେ ଏବଂ ଲୁଟେରାକୁ ଧରି ନିର୍ଧୁମ ଛେଚିଥିଲେ l ଖବର ପାଇ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୁଟେରାକୁ ଲୋକଙ୍କ କବଳରୁ ଉଦ୍ଧାର କରିଛି । ଲୁଟେରାକୁ ଗିରଫ କରିବା ସହିତ ପୋଲିସ ବାଇକ ଚୋରିର ଖିଅ ଖୋଜୁଛି । ଗିରଫ ଯୁବକ ଜଣକ ହେଲେ ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଧୀନ ନରହରିପୁରର ମହିନ୍ଦ୍ର ମାରାଣ୍ଡିର ପୁଅ କଟି ମାରାଣ୍ଡି । ପ୍ରାୟତଃ ସପ୍ତାହକୁ ଥରେ ଉକ୍ତ ଦାହିବାଡି ହାଟରୁ ବାଇକ ଚୋରି ନେଇ ସ୍ଥାନୀୟ ପୋଲିସ ଚିନ୍ତାରେ ଥିବାବେଳେ ଏହି ଯୁବକଜଣକ ପୂର୍ବରୁ ମଧ୍ୟ ଏକାଧିକ ଥର ଏହି ହାଟରେ ବାଇକ ଚୋରି କରିଥିଲେ। ଏଥିଲାଗି ପୂର୍ବରୁ ଚୋରି ଯାଇଥିବା ବାଇକ ଗୁଡିକର ସୁରାକ ମିଳିବା ନେଇ ପୋଲିସ ଆଶାବାଦୀ ଅଛି l