ଡିଭାଇଡ଼ରରେ ପିଟିହୋଇ ଚାଲିଗଲା ଜୀବନ

କୋକସରା,୧୦।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି-ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେର ବଡ଼କେନ୍ଦୁଗୁଡା ଛକ ନିକଟରେ ରବିବାର ସାରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା ଡିଭାଇଡ଼ରରେ ପିଟିହୋଇ ଜଣେ ବାଇକ୍‌ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଟେମରିଆପଡ଼ାର ଜୟରାମ ବାଗଙ୍କ ପୁଅ ନକୁଳ ବାଗ।

ଦୁର୍ଘଟଣା ପରେ ସ୍ଥାନୀୟ ଜଣେ ଯୁବକ ୧୦୮ ଆମ୍ବୁଲାନ୍ସ ହେଲ୍ପ ଲାଇନକୁ ଫୋନ କରି ଜଣାଇଥିଲେ। ହେଲେ ହେଲ୍ପ ଲାଇନ ପକ୍ଷରୁ କୌଣସି ଗାଡ଼ି ଉପଲବ୍ଧ ନ ଥିବା କହିବା ସହ ଯୁବକଙ୍କୁ ନିଜେ ଗାଡି ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଫୋନ ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ଠିକ୍‌ ସମୟରେ ପହଞ୍ଚି ଥିଲେ ଯୁବକକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପାରିଥାନ୍ତା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ଆମପାଣି ପୋଲିସ ପହଞ୍ଚି କୋକସରା ଦମକଳ ବାହିନୀଙ୍କ ସହାୟତାରେ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାକୁ ପଠାଯାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିଛି।