ଲାଞ୍ଜିଗଡ଼, ୨୨।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ଠାରେ ଥିବା ଏକ ମୋଟରସାଇକେଲ ନାମରେ କେନ୍ଦୁଝରରୁ ଇ-ଚାଲାଣ ଜାରି ହେବା ଘଟଣା ଏବେ ପରିବହନ ବିଭାଗର ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥାର ସ୍ୱଚ୍ଛତା ଓ ଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଲାଞ୍ଜିଗଡ଼ ସହରର ବ୍ୟବସାୟୀ ସୁରେଶ କୁମାର ଅଗ୍ରୱାଲଙ୍କ ଏକ ହୋଣ୍ଡା ବାଇକ୍ (ନମ୍ବର- CG 04 PF 1993) ନାମରେ କେନ୍ଦୁଝରରୁ ଏକ ଇ-ଚାଲାଣ (ନମ୍ବର- OR 72214261022191146) ଜାରି କରାଯାଇଛି। ୨୨ ଅକ୍ଟୋବର ୨୦୨୬ ସନ୍ଧ୍ୟା ୭ଟା ୧୧ ମିନିଟ୍ରେ ଜାରି ହୋଇଥିବା ଏହି ଚାଲାଣରେ ୧୫୦୦ ଟଙ୍କାର ଜୋରିମାନା ଧାର୍ଯ୍ୟ କରାଯାଇଥିବା ବେଳେ ଘଟଣାସ୍ଥଳ କେନ୍ଦୁଝର ଜିଲ୍ଲାର ‘ଟାଙ୍ଗରାଣୀ’ ବୋଲି ଦର୍ଶାଯାଇଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଚାଲାଣ ସହ ସଂଲଗ୍ନ ଫଟୋରେ ବାଇକ୍ ବଦଳରେ ଏକ ଟ୍ରଲର୍ କିମ୍ବା ହାଇୱା ଭଳି ଭାରୀଯାନର ଫଟୋ ରହିଛି।
ଗାଡ଼ି ମାଲିକ ସୁରେଶ ଅଗ୍ରୱାଲଙ୍କ କହିବା ଅନୁଯାୟୀ, ତାଙ୍କ ବାଇକ୍ଟି ଲାଞ୍ଜିଗଡ଼ରେ ହିଁ ରହିଛି। ଚାଲାଣ ବାର୍ତ୍ତା (SMS) ପାଇବା ପରେ ସେ ସାଙ୍ଗେ ସାଙ୍ଗେ ରାତି ୯ଟା ୦୩ରୁ ୯ଟା ୦୫ ମଧ୍ୟରେ ନିଜ ବାଇକ୍ଟି ଲାଞ୍ଜିଗଡ଼ରେ ଥିବାର ତାରିଖ ଓ ସମୟସୂଚକ ଫଟୋ ଉଠାଇ ପ୍ରମାଣ ସଂଗ୍ରହ କରିଛନ୍ତି।
ଏହି ଘଟଣା ପରେ ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ଇ-ଚାଲାଣ ଜାରି କରିବା ପୂର୍ବରୁ ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଫଟୋକୁ ବିଭାଗୀୟ ଅଧିକାରୀ କିମ୍ବା ସିଷ୍ଟମ୍ ଠିକ୍ ଭାବେ ଯାଞ୍ଚ କରୁଛନ୍ତି କି ନାହିଁ? ଫଟୋରେ ଭାରୀଯାନ ଥିବା ବେଳେ ଏହା ବାଇକ୍ ନମ୍ବର ସହ କିପରି ମେଳ ଖାଇଲା ଏବଂ ଚାଲାଣ ଜାରି ହେଲା? କୌଣସି ଭୁଲ୍ ନଥାଇ ନିର୍ଦ୍ଦୋଷ ଗାଡ଼ି ମାଲିକମାନେ କାହିଁକି ଚାଲାଣ ବାତିଲ ପାଇଁ ସରକାରୀ ଦପ୍ତର ଦୌଡ଼ି ହଇରାଣ ହେବେ?
ଗାଡ଼ି ମାଲିକ ଏହି ଚାଲାଣର ମୂଳ ଫଟୋ, ଗାଡ଼ିର ପଞ୍ଜୀକରଣ ନମ୍ବର ଓ ଘଟଣାସ୍ଥଳର ସତ୍ୟାସତ୍ୟ ଯାଞ୍ଚ କରି ତୁରନ୍ତ ଏହି ଅସିଦ୍ଧ ଚାଲାଣକୁ ବାତିଲ କରିବାକୁ ଦାବି କରିଛନ୍ତି।