ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଆଉ ୩…

ଝରିଗାଁ,୧୧ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ନୂତନ କୋର୍ଟ ନିକଟରେ ବାଇକ୍‌ ଦୁର୍ଘଟଣା ଯୋଗୁ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ବାଇକ୍‌ରେ ଥିବା ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଝରିଗାଁ ବ୍ଲକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ଜବାଗୁଡ଼ା ଗ୍ରାମର ବିକାଶ ସାନ୍ତା ଏବଂ ଫୁଲସିଂ ସାନ୍ତା କୌଣସି ଏକ କାମ ନେଇ ବସ୍‌ ଯୋଗେ ଉମରକୋଟ ଯାଇଥିଲେ। ତେବେ ଘରକୁ ଫେରିବା ପାଇଁ କୌଣସି ଗାଡ଼ି ନ ମିଳିବାରୁ ଉମରକୋଟ ବ୍ଲକ ସୁନାବେଡ଼ା ଗ୍ରାମର ସମ୍ପର୍କୀୟ ବଳରାମ ସାନ୍ତା(୪୨) ଏବଂ ଚକ୍ର ସାନ୍ତା ବାଇକ୍‌ ନମ୍ବର ସିଜି ୨୩ ଏଲ ୩୦୧୧ ଯୋଗେ ଜବାଗୁଡ଼ା ଛାଡ଼ିବା ପାଇଁ ଯାଉଥିଲେ। ଗୋଟିଏ ବାଇକ୍‌ରେ ୪ ଜଣ ବସି ଯାଉଥିବାବେଳେ ସନ୍ଧ୍ୟାରେ ଝରିଗାଁ ନୂତନ କୋର୍ଟ ନିକଟରେ ଥିବା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ସିମେଣ୍ଟ ଖୁଣ୍ଟ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ବଳରାମଙ୍କ ମୁଣ୍ଡରେ ଗଭୀର ଆଘାତ ଯୋଗୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସେହି ରାସ୍ତା ଦେଇଯାଉଥିବା କିଛି ଲୋକ ଦୁର୍ଘଟଣା ଦେଖି ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ କାର୍ଯ୍ୟରତ ଡାକ୍ତର ସୌମ୍ୟ ସ୍ବାଇଁ ବଳରାମଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ତିନି ଜଣ ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡ଼ିଛି।

Dharitri – Odisha’s No.1 Odia Daily

Share