ଡିଭାଇଡରରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ନାଚୁଣୀ,୨୨ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଗଞ୍ଜାମ ଜିଲା ଗୋସାଣି-ନୂଆଗାଁର ଶିବ ମଣ୍ଡଳ।

ସୂଚନାନୁଯାୟୀ, ଗଞ୍ଜାମ ଜିଲା ଗୋସାଣି-ନୂଆଗାଁ ଥାନା ଅଞ୍ଚଳର ଦେବରାଜ ମଣ୍ଡଳଙ୍କ ପୁତ୍ର ଶିବ ମଣ୍ଡଳ ଓ ତାଙ୍କ ସହଯୋଗୀ ସମୀର ମଣ୍ଡଳଙ୍କ ସହ ଏକ ବାଇକ୍‌ ଯୋଗେ ଖୋର୍ଦ୍ଧାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ। ତେବେ ଆଜି ଭୋର୍‌ରୁ ବାଇକ୍‌ଟି ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକରେ ନିକଟରେ ଏକ ଡିଭାଇରକୁ ପିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯାହା ଫଳରେ ଉଭୟ ଆହତ ହୋଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଯୋଗେ ଉଭୟ ଆହତଙ୍କୁ ବାଲୁଗାଁ ମେଡିକାଲ ପଠାଇଥିବା ବେଳେ ସେଠାରେ ଶିବଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ନାଚୁଣୀ ପୋଲିସ ବାଲୁଗାଁ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଜାରି ରଖି ଥିବାର ସୂଚନା ମିଳିଛି।