ରାସ୍ତାକଡରେ ଗଛକୁ ଧକ୍କା ଦେଲା ବାଇକ, ରାତିସାରା ଘଟଣାସ୍ଥଳରେ ପଡ଼ିରହିଥିଲେ, ସକାଳୁ…

ଦିଗପହଣ୍ଡି,୨୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନନ୍ତେଇ ଗ୍ରାମ ପୋଖରୀ ନିକଟ ମୁଖ୍ୟରାସ୍ତା କଡ଼ରେ ଥିବା ଗଛକୁ ଏକ ବାଇକ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକ ମୃତ୍ୟୁବରଣ କରିଛନ୍ତି। ବାଇକ ପଛରେ ବସିଥିବା ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ କୁକୁଡ଼ାଖଣ୍ଡି ବ୍ଲକ ବାଲିପଡ଼ା ପଞ୍ଚାୟତ ଟିକରପଡ଼ା ଗ୍ରାମର ସୁଜିତ ପାତ୍ରଙ୍କ ପୁଅ ଇନ୍ଦ୍ରଜିତ ପାତ୍ର(୧୮) ଏବଂ ଆହାତ ଜଣକ ହେଲେ ସେହି ଗାଁର କାମନା ରାଉଳଙ୍କ ପୁଅ ପ୍ରତୀକ ରାଉଳ(୨୩)। ବୁଧବାର ସକାଳେ ଗୁରୁତର ଆହାତ ପ୍ରତୀକଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଗପହଣ୍ଡି ପୋଲିସ ଇନ୍ଦ୍ରଜିତଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏସି ମେକାନିକ ଭାବେ କାର୍ଯ୍ୟ କରୁଥିବା ଉଭୟ ସାଙ୍ଗ କାମସାରି ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ ଟାରେ ପଲ୍ସର ବାଇକ ଯୋଗେ ଗାଁକୁ ଫେରୁଥିବାବେଳେ ନିୟନ୍ତ୍ରଣ ହରାଇ ରାସ୍ତାକଡରେ ଗଛକୁ ଧକ୍କା ଦେଇ ଉଭୟେ ଚାଷଜମିରେ କଚାଡି ହୋଇ ପଡ଼ିଥିଲେ। ଅନ୍ଧାର ରାତିରେ ଘଟଣା କେହି ଦେଖିନଥିବାରୁ ଉଭୟେ ରାତିସାରା ଘଟଣାସ୍ଥଳରେ ପଡ଼ିରହିଥିଲେ। ଭୋରରେ ଗ୍ରାମର କିଛି ବ୍ୟକ୍ତି ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବାଇକ ସହ ୨ ଯୁବକ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ଖବର ପ୍ରଚାରିତ ହେବାପରେ ଘଟଣାସ୍ଥଳରେ ଭିଡ଼ ପରିଲକ୍ଷିତ ହୋଇଥିଲା। ଉଭୟଙ୍କ ମଧ୍ୟରୁ ଜଣେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ତାଙ୍କୁ କିଛି ଗ୍ରାମବାସୀ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରିଚୟ ପତ୍ରରୁ ତାଙ୍କ ନାଁ ପ୍ରତୀକ ବୋଲି ଜଣାପଡିଥିଲା।

Odisha’s No.1 Odia Daily

Share
Tags: odisha