ସାଇକେଲକୁ ମୁହାଁମୁହିଁ ଧକ୍କା ଦେଲା ବାଇକ୍‌: ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ଛତ୍ରପୁର,୨୦ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ପିଏଚ୍‌ଡି ରାସ୍ତା ଚାରିଛକଠାରେ ସାଇକେଲ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ଜଣଙ୍କର ଜୀବନ ଯାଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ମୃତକ ଦୁଇ ଜଣ ରୁକୁଣି ଗାଁର ଅଶୋକ ମୁଦୁଲି ଏବଂ ଅନ୍ୟ ଜଣେ ଚିକଲାଖଣ୍ଡି ଗ୍ରାମର ବି. ପୁରୁଷୋତ୍ତମ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବୁଧବାର ସନ୍ଧ୍ୟାରେ ଏକ ବାଇକ୍‌ରେ ବି. ପୁରୁଷୋତ୍ତମ ଏବଂ ଏସ୍‌. ଭେଙ୍କେଟି ଚିକଲଖଣ୍ଡି ଗ୍ରାମରୁ ମାଧପୁର ଯାଉଥିବା ବେଳେ ଚାରିଛକ ଠାରେ ସାଇକେଲ ଚାଳକ ଅଶୋକଙ୍କ ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ୍‌ ଚାଳକ ଓ ସାଇକେଲ ଚାଳକଙ୍କ ମୃତ୍ୟୁ ହୋଇଛି। ଭେଙ୍କେଟି ଗୁରୁତର ଥିବାରୁ ତାଙ୍କୁ ଛତ୍ରପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସୂଚନା ପାଇ ଛତ୍ରପୁର ଥାନା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।