ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆହାତ ଛାତ୍ର ଦ୍ବୟ ହେଲେ ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଡି. ସୁମିତ୍ ଦୋରା (୧୯) ଏବଂ ଗୋକର୍ଣ୍ଣପୁର ଗ୍ରାମର ଆର୍. ମନୋଜ ସ୍ବାମୀ(୨୦)। ଅନ୍ୟ ୨ ଆହାତଙ୍କ ପରିଚୟ ଜଣାପଡ଼ିନାହିଁ।
ଛାତ୍ର ଦ୍ବୟ କ୍ଲାସ ସରିବା ପରେ ବାଇକ୍ ଯୋଗେ ଫେରୁଥିବା ବେଳେ ପଛପଟୁ ଅନ୍ୟ ଏକ ବାଇକ୍ ଦ୍ରୁତଗତିରେ ଆସି ଛାତ୍ରଙ୍କ ବାଇକ୍କୁ ଧକ୍କା ଦେଇଥିଲା। ସମସ୍ତେ ରାସ୍ତାରେ କଚାଡି ହୋଇ ପଡ଼ିଥିଲେ। ଆହତମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
କଲେଜ ସମ୍ମୁଖ ୩୨୬ ନମ୍ବର ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ସ୍ପିଡ ବ୍ରେକର ବ୍ୟବସ୍ଥା କରାଯାଉ ନାହିଁ। ଏପରି କି ସିସିଟିଭି କ୍ୟାମେରା ନ ଥିବାରୁ ଦୁର୍ଘଟଣା ପରେ ଖସି ଯାଉଥିବା ଗାଡ଼ିଗୁଡ଼ିକ ସମ୍ପର୍କରେ କିଛି ଜଣାପଡୁନାହିଁ। ପୋଲିସ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ କଲେଜ ଅଧ୍ୟକ୍ଷ ଡ଼. ଅସିତ କୁମାର ଷଡଙ୍ଗୀ ଦିଗପହଣ୍ଡି ଥାନାରେ ପହଞ୍ଚି ଏକ ଦରଖାସ୍ତ ଦେଇଥିବା କହିଛନ୍ତି