ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ସୋରଡ଼ା ମୁଖ୍ୟ ରାସ୍ତାର କାଳିଆଗୁଡ଼ା ନିକଟରେ ଗୁରୁବାର ରାତିରେ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବାଇକ୍ରେ ଯାଉଥିବା ଦୁଇଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଭଞ୍ଜନଗର ଜଗନ୍ନାଥବିହାର ପ୍ରଥମ ଲାଇନ ବାସିନ୍ଦା ତଥା ମୂଳ ବାସିନ୍ଦା କାଳିଆଗୁଡ଼ାର ସଞ୍ଜୀବ କୁମାର ବେହେରା ଓ ବସନ୍ତ ସ୍ବାଇଁ । ସୋରଡ଼ା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇଛି।
ଘଟଣାରୁ ପ୍ରକାଶ ଯେ, କାଳିଆଗୁଡ଼ାର ୪ ସାଙ୍ଗ ଗତକାଲି ମିଶି ଦୁଇଟି ବାଇକ୍ରେ ସୋରଡ଼ା ଯାଇଥିଲେ। ରାତି ପ୍ରାୟ ୧୦ଟାରେ ସେମାନେ ଗ୍ରାମ ଅଭିମୁଖେ ଫେରୁଥିବା ବେଳେ ଗ୍ରାମଠାରୁ ଅଳ୍ପ କିଛି ଦୂରରେ ସଞ୍ଜୀବ ଓ ବସନ୍ତ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ପଛରେ ଆସୁଥିବା ଅନିଲ ପ୍ରଧାନ ଓ ଜଗନ୍ନାଥ ସାଇଁ ଏନେଇ ଦେଖି ସେମାନଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲ ଆଣିଥିଲେ। ଏଠାରେ ଡାକ୍ତର ଯବାନ ସଞ୍ଜୀବ ଓ କମ୍ପାନୀ ଚାକିରି କରୁଥିବା ବସନ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। କୌଣସି ଅଜଣା ଗାଡ଼ି ଧକ୍କାରେ ଏଭଳି ହୋଇଥିବା ଆଶଙ୍କା କରାଯାଉଛି। ସୋରଡ଼ା ପୋଲିସର ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

