ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଦେବ ବିଜୁ ସ୍ବାଭିମାନ ମଞ୍ଚ କୋଲନରାରେ ଭାସ୍କର ରାଓଙ୍କ ଶକ୍ତି ପ୍ରଦର୍ଶନ

ଗୁଣପୁର,୩୦॥୫(ସୁଜାତା ପାଢ଼ୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଟାଣୁଆ ନେତା ତଥା ପୂର୍ବତନ ରାଜ୍ୟ ସଭା ସଭ୍ୟ ଏନ୍‌.ଭାସ୍କର ରାଓ। ରାୟଗଡା ଜିଲାର କୋଲନରା ବ୍ଲକରେ ଶୁକ୍ରବାର ନିଜ ସମର୍ଥକଙ୍କୁ ନେଇ ସେ ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜେଡି ଛାଡିବା ପରେ ଏବେ ତୃଣ ମୂଳ ସ୍ତରରେ ନିଜର ସମର୍ଥକଙ୍କୁ ନେଇ ଆରମ୍ଭ କରିଛନ୍ତି ଅଭିଯାନ। ବିଜୁ ସ୍ବାଭିମାନ ମଞ୍ଚ ନାମରେ ଗଢ଼ିଥିବା ଏହି ସଙ୍ଗଠନ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ସମସ୍ତ ବ୍ଲକରେ ପ୍ରାର୍ଥୀ ଦେବ। କୌଣସି ରାଜନୈତିକ ଦଳ ସହ ସାଲିସ ନକରି ଏକାକି ସ୍ବାଭିମାନ ମଞ୍ଚ ଜିଲାରେ ସଙ୍ଗଠନକୁ ବଢାଇବା ସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେବ ବୋଲି ବିଜୁ ସ୍ବାଭିମାନ ମଞ୍ଚର ଆବାହକ ଭାସ୍କର ରାଓ କହିଛନ୍ତି। ଏଥିପାଇଁ କମ୍‌ ଦିନରେ ଜିଲାର ୧୧ଟି ବ୍ଲକରେ କର୍ମୀମାନଙ୍କୁ ତାଲିମ ଦିଆଯିବ। ୱାର୍ଡମେମ୍ବରଠାରୁ ଆରମ୍ଭ କରି ଜିଲାର ସମସ୍ତ ସରପଞ୍ଚ, ସମିତି, ଜିଲାପରିଷଦ ପଦବୀ ପାଇଁ ସ୍ବାଭିମାନ ମଞ୍ଚ ପ୍ରାର୍ଥୀ ଦେବ। କୋଲନରା ବ୍ଲକରେ ଆୟୋଜିତ କର୍ମୀ ସମ୍ମିଳନୀରେ ପ୍ରାୟ ବହୁ ଲୋକ ଉପସ୍ଥିତ ରହି ସ୍ବାଭିମାନ ମଞ୍ଚକୁ ଜିଲାରେ ଆଗକୁ ନେବା ପାଇଁ ଭାସ୍କର ରାଓଙ୍କୁ ନିବେଦନ କରିଥିଲେ। ପରେ ଭାସ୍କର ରାଓ ଆଗାମୀ ସମସ୍ତ ନିର୍ବାଚନରେ ପ୍ରାର୍ଥୀ ଦେବାକୁ ସମର୍ଥନ ଜଣାଇଥିଲେ। ତେବେ ପ୍ରଥମଥର ପାଇଁ କୋଲନରା ବ୍ଲକରେ ବିଜୁ ସ୍ବାଭିମାନ ମଞ୍ଚର କର୍ମୀ ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଭାସ୍କର ରାଓଙ୍କ ସକ୍ରିୟ ରାଜନୈତିକ ଉପସ୍ଥିତି ଉଭୟ ଶାସକ ଭାଜପା, ବିଜେଡି ଓ କଂଗ୍ରେସ ମହଲରେ ଛନକା ପଶିଥିବା ଚର୍ଚ୍ଚା ହେଉଛି। ଏହି କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାୟଗଡା ସମିତି ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା,ବରିଷ୍ଠ ନେତା ବାନାଗାଡି ତ୍ରିପତୀଙ୍କ ସମେତ କୋଲନରା ବ୍ଲକର ଅନେକ ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share