୨୦୨୬ ଯାଏ ବଢ଼ିଲା ବିଜୁ ସେତୁ ଯୋଜନା ଅବଧି

ଭୁବନେଶ୍ୱର,୨୪ା୪(ବ୍ୟୁରୋ)-ରାଜ୍ୟ ସରକାର ବିଜୁ ସେତୁ ଯୋଜନାକୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଉକ୍ତ ଯୋଜନାରେ ଅତିରିକ୍ତ ୩୫୯୭.୨୨କୋଟି ଟଙ୍କା ବିନିଯୋଗରେ ୮୬୬ ନୂତନ ସେତୁ ନିର୍ମାଣ ହେବା ସହିତ ଚାଲୁ ରହିଥିବା ସେତୁଗୁଡ଼ିକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଗ୍ରାମାଞ୍ଚଳରେ ବାସ କରୁଥିବା ଜନସାଧାରଣଙ୍କ ଯାତାୟାତ ସୁବିଧା ତଥା ସେମାନଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବିଜୁ ସେତୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୨୦୨୧-୨୨ ଆର୍ଥକ ବର୍ଷରେ ୩ ବର୍ଷ ପାଇଁ (୨୦୨୩-୨୪) ୫,୧୮୨ କୋଟି ଟଙ୍କା ବିନିମୟରେ ୯୪୬ଟି ସେତୁ ପାଇଁ ଅନୁମୋଦନ କରାଯାଇଥିଲା। ସେଥିରୁ ଚାଲୁରହିଥିବା ୩୯୬ ଓ ୫୫୦ ନୂତନ ସେତୁ ରହିଛି। ପ୍ରକଳ୍ପଗୁଡ଼ିକୁ ସମ୍ପୂର୍ଣ୍ଣ କରିବା ପାଇଁ ଉକ୍ତ ଅବଧିକୁ ବୃଦ୍ଧି କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଥିବା ସମସ୍ତ ଅସଂଯୋଜିତ ସ୍ଥାନଗୁଡ଼ିକୁ ସେତୁ ମାଧ୍ୟମରେ ଯୋଡ଼ିବା ଲକ୍ଷ୍ୟ ରଖି ରାଜ୍ୟ ସରକାର ୨୦୧୧-୧୨ରୁ ବିଜୁ ସେତୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଉକ୍ତ ଯୋଜନାରେ କେତେକ ଗୁରୁତ୍ୱପୂର୍ଣ୍ଣ ପଞ୍ଚାୟତ ରାସ୍ତାରେ ସେତୁ ନିର୍ମାଣ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି। ରାଜ୍ୟର କୋଣ ଅନୁକୋଣରେ ସମସ୍ତଙ୍କ ନିକଟରେ ସବୁଦିନିଆ ଯାତାୟାତ ବ୍ୟବସ୍ଥା ପହଞ୍ଚାଇବା ଏହାର ଲକ୍ଷ୍ୟ।