ଆଜି ବିଜୁ ଜୟନ୍ତୀ:ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍‌ବୋଧନ ଦେବେ ନବୀନ

ଭୁବନେଶ୍ୱର, ୫ା୩(ବ୍ୟୁରୋ):ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ବିଜେଡି ପକ୍ଷରୁ ଶୁକ୍ରବାର ପାଳନ କରାଯିବ। ରାଜ୍ୟର ସମସ୍ତ ନିର୍ବାଚନମଣ୍ଡଳୀ ସ୍ତରରେ ଏହି କାର୍ଯ୍ୟକ୍ରମ ପାଳନ ଲାଗି ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ସବୁ ବିଧାୟକ, ଏମ୍‌ପି, ଜିଲା ସଭାପତି, ଛାମୁଆ, ମହିଳା ସଙ୍ଗଠନ ନେତ୍ରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ଟା ସମୟରେ ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ପାଳନ କରାଯିବ। ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ନେତାଙ୍କୁ ନବୀନ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏହାପରେ ୧୦ଟା ୪୫ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ବୋଲି ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି। ଏଥିସହ ଦଳର ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ବିଜୁବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନଠାରୁ ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟନ୍ତ ଶୁକ୍ରବାର ସକାଳ ୬ଟାରୁ ଏକ ବିଶାଳ ସାଇକେଲ ରାଲି ହେବ। ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ସାଇକେଲ ରାଲିରେ ହଜାର ହଜାର ଯୁବ, ଛାତ୍ର ଯୋଗଦେଇ ୧୯୩୨ରେ ବିଜୁବାବୁଙ୍କ କଟକରୁ ପେଶାଓ୍ବର ପର୍ଯ୍ୟନ୍ତ ୪୫୦୦ ମାଇଲ ଦୁଃସାହସିକ ସାଇକେଲ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ। ସେହିପରି ଶୁକ୍ରବାରଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜିତ ହେବା କାର୍ଯ୍ୟକ୍ରମ ରହିଥିବା ଦଳୀୟ ସୂତ୍ରରୁ ପ୍ରକାଶ।